spot_img
Home Blog Page 5528

ଯୌତୁକ ପାଇଁ ଶିକ୍ଷୟତ୍ରୀ ବୋହୂକୁ ମାରିଦେଲେ ଶାଶୁଘର ଲୋକେ !

ଗଜପତି: ଯୌତୁକ ପାଇଁ ଶିକ୍ଷୟତ୍ରୀ ବୋହୂକୁ ମାରିଦେଲେ ଶାଶୁଘର ଲୋକେ। ଗଜପତି ଜିଲ୍ଲା ମର୍କଡା ଗାଁରୁ ଆସିଛି ବଧୂ ହତ୍ୟା ଅଭିଯୋଗ। ମୃତକ ହେଲେ ୨୮ ବର୍ଷୀୟା ରଜନୀ ଧାଙ୍ଗଡା ଭୂୟାଁ। ସେ ଲାଇଲାଇ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ରଜନୀଙ୍କ ପରିବାର ଲୋକେ।

ବୋହୂର ମୃତ୍ୟୁ ପରେ ସ୍ବାମୀ ଓ ଶ୍ବଶୁର ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁସାରେ ୨୦୧୩ରେ ମୃତ ରଜନୀ ସୋମନାଥଙ୍କୁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତି ସମୟରେ ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନେକ ସମୟରେ ଘରେ କେବଳ ଯୌତୁକ ପାଇଁ କଳହ ଲାଗି ରହୁଥିଲା।

ବିଦେଶରୁ ଗାଁକୁ ଫେରିଆସଲେ ଡାକ୍ତର ବାବୁ, ଜୈବିକ ପ୍ରଣାଳୀରେ ଚାଷକରି ହେଲେ ସଫଳ

ମୟୂରଭଞ୍ଜ: ବିଦେଶ ଫେରନ୍ତା ଡାକ୍ତର ସଫଳ ଚାଷୀ। ସ୍ବାସ୍ଥ୍ୟସେବାରୁ କୃଷି ବିକାଶର ସ୍ବପ୍ନ। ଗାଁରେ ଜୈବିକ ପ୍ରଣାଳୀରେ ଚାଷ। କୃଷି ମାଧ୍ୟମରେ ନିଜ ଅଞ୍ଚଳର ବିକାଶ ସ୍ବପ୍ନ ତାଙ୍କୁ ସଫଳ ଚାଷୀର ପରିଚୟ ଦେଇଛି।  ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ହାଣଦା ଗାଁର ଯୁବ ଡାକ୍ତର ଜ୍ୟୋତି ଦାସ। ବିଦେଶରୁ ଡାକ୍ତରୀ ପାସ୍ କରିବା ପରେ ସ୍ବାସ୍ଥ୍ୟସେବା ବଦଳରେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ବିଦେଶରୁ ଚାରା ଆଣି ବିଭିନ୍ନ ପ୍ରକାର ଫଳଚାଷ କରୁଛନ୍ତି ଏହି ଯୁବ ଡାକ୍ତର।

ପୈତୃକ ଜମିରେ ଫଳ ବଗିଚା କରିଛନ୍ତି ଡାକ୍ତର ଜ୍ୟୋତି ଦାସ। ୩୭୨ ପ୍ରକାର ଫଳଗଛ ଲଗାଇଛନ୍ତି। ଏଥିମଧ୍ୟରେ ୯୦ ପ୍ରତିଶତ ବିଦେଶୀ ଫଳଗଛ ଅଛି। ୯୨ ପ୍ରକାର ଆମ୍ବ,  ୨୭ ପ୍ରଜାତିର ସପେଟା, ୮ ପ୍ରକାର ଲିଚୁ, ୧୬ ପ୍ରକାର ପିଜୁଳି, ୧୨ ପ୍ରକାର ଅଙ୍ଗୁର ଓ ୮ ପ୍ରକାର ସେଓ ଗଛ ଲଗାଇଛନ୍ତି। ସେହିପରି ଔଷଧୀୟ କଳାଧାନ ଚାଷ କରିଛନ୍ତି ଜ୍ୟୋତି ଦାସ। କଳା ଧାନ ଚାଷ ପାଇଁ ନିଜ ଅଞ୍ଚଳର ଚାଷୀଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଯୁବ ଡାକ୍ତରଙ୍କୁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସହଯୋଗ କରୁଛି।

ନିଜେ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଲାଭ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ଦେଉଛନ୍ତି ଡାକ୍ତର ଜ୍ୟୋତି ଦାସ। ଚାଷ ଅଛି ଯାହାର, କି ଆନନ୍ଦ ତାହାର। ଏହାକୁ ପ୍ରମାଣିତ କରିଛନ୍ତି ଏହି ଯୁବ ଡାକ୍ତର ଜ୍ୟୋତି ଦାସ। ଚାଷରୁ ମୁହଁ ଫେରାଉଥିବା ଯୁବଗୋଷ୍ଠୀଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି।

ATMରୁ କୌଣସି ପ୍ରକାର କାରବାର ପୂର୍ବରୁ ୨ଥର କ୍ୟାନସେଲ ବଟନ୍ ଦବାଇବା ଦ୍ୱାର ଆପଣଙ୍କ ପିନ୍ ଚୋରୀ ହେବା ନାହିଁ !

ସୋସିଆଲ ମିଡିଆରେ ଅନେକ ମେସେଜ ବା ବାର୍ତ୍ତା ଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ନୂଆ ବାର୍ତ୍ତା ଭାଇରାଲ ହେଉଛି। ଯେଉଁଥିରେ ଏଟିଏମ୍ ପିନ୍ ସମ୍ବନ୍ଧରେ ଏକ ଦାବି କରାଯାଉଛି । ଭାଇରାଲ ମେସେଜ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ପିନ୍ ଚୋରିରୁ ବଞ୍ଚିବା ପାଇଁ ଏଟିଏମ୍ ରୁ କୌଣସି ପ୍ରକାରର କାରବାର ପୂର୍ବରୁ ଦୁଇଥର କ୍ୟାନସେଲ ବଟନ୍ ଦବାନ୍ତୁ।

ଏହି ବାର୍ତ୍ତାକୁ ନେଇ ସରକାର ନକଲି ଏବଂ ଭୁଲ ବୋଲି କହିଥିବା ସୂଚନା ମିଳିଛି । ଏହାକୁ ନେଇ PIB ଫ୍ୟାକ୍ଟ ଚେକ୍ ଟ୍ୱିଟରରେ ପୋଷ୍ଟ କରାଯାଇଛି । ଟ୍ୱିଟରେ କୁହାଯାଇଛି ଏକ ନକଲି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏଥିରେ କୁହାଯାଇଛି ଯେ, ଏଟିଏମରେ କାର୍ଡ ଭର୍ତ୍ତି କରିବା ପୂର୍ବରୁ ଦୁଇଥର କ୍ୟାନସେଲ ବଟନ୍ ଦବାନ୍ତୁ। ଏହାଦ୍ୱାରା ଆପଣଙ୍କର PIN ଚୋରି ହେବ ନାହିଁ । ଏହି ବିଷୟରେ, PIB ଫ୍ୟାକ୍ଟ ଚେକ୍ କହିଛି ଯେ ଏହି ଭାଇରାଲ୍ ବାର୍ତ୍ତା ଭୁଲ ଅଟେ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇ ନାହିଁ।

ଆପଣଙ୍କୁ କହି ରଖୁଛୁ ଯେ, ପ୍ରେସ୍ ଇନଫରମେସନ ବ୍ୟୁରୋ (PIB)ର ଫ୍ୟାକ୍ଟ ଚେକିଂର ଗୋଟିଏ ଅଂଶ ହେଉଛି PIB ଫ୍ୟାକ୍ଟ ଚେକ୍ । ଏହା ଟ୍ୱିଟରରେ ମଧ୍ୟ ଉପଲବ୍ଧ । ତେବେ ଏହି ନକଲି ବାର୍ତ୍ତା ଅନୁଯାୟୀ, ଲୋକଙ୍କୁ କୁହାଯାଇଛି ଯେ ପ୍ରତ୍ୟେକ କାରବାର ପୂର୍ବରୁ ଆପଣଙ୍କୁ ଦୁଇଥର କ୍ୟାନସେଲ ବଟନ୍ ଦବାଇବାକୁ ଅଭ୍ୟାସ କରିବାକୁ ପଡ଼ିବ । ଏଥିରେ କୁହାଯାଇଛି ଯେ ଯଦି ଆପଣଙ୍କର ପିନ୍ ଚୋରି କରିବା ପାଇଁ ଯଦି କେହି କିପ୍ୟାଡ୍ ସେଟଅପ୍ ରଖନ୍ତି, ତେବେ କ୍ୟାନସେଲ ବଟନ ଦବାଇବା ଦ୍ୱାରା ସେଟଅପଟି କ୍ୟାନସେଲ ହୋଇଯିବ । ତେବେ ଏହି ବାର୍ତ୍ତା ସଂପୂର୍ଣ୍ଣ ନକଲି । ଏହି ଦାବିଗୁଡିକ ଉପରେ ପିଆଇବି ଫ୍ୟାକ୍ଟ ଚେକ୍ କହିଛି ଯେ ଏହି ବିବୃତ୍ତି ନକଲି ଏବଂ ଏହା ଆରବିଆଇ ଦ୍ୱାରା ଜାରି କରାଯାଇ ନାହିଁ।

ତେବେ ନିଜର ସୁରକ୍ଷା ପାଇଁ, ଉପଭୋକ୍ତା ବ୍ୟାଙ୍କ ବିବରଣୀ କିମ୍ବା ATM PIN କାହା ସହିତ ସେୟାର କରନ୍ତୁ ନାହିଁ । ଯଦି କେହି ଆପଣଙ୍କୁ KYC ନାମରେ ଏକ କଲ୍ ବିଷୟରେ ସବିଶେଷ ତଥ୍ୟ ମାଗନ୍ତି, ତେବେ ତାଙ୍କୁ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ଆଦୌ ଦିଅନ୍ତୁ ନାହିଁ । କୌଣସି ଅଜ୍ଞାତ ଲିଙ୍କରେ କ୍ଲିକ୍ କରିବା ଠାରୁ ଦୂରେଇ ରୁହନ୍ତୁ ।

ରାମ ମନ୍ଦିର ଜମି ବିବାଦ; ରିପୋର୍ଟ ମଗାଇଲେ ନଡ୍ଡା-ଶାହା

ଲକ୍ଷ୍ନୌ: ଅଯୋଧ୍ୟା ରାମମନ୍ଦିର ଜମି ବିବାଦ ଥମିବାର ନାଁ ଧରୁନାହିଁ  । ଜମି ବିବାଦ ଆଉ ଜମିରେ ନାହିଁ ବଂର ଏହି ଘଟଣା ଏବେ ଆକାଶରେ ଉଡିବା ଆରମ୍ଭ କରିଛି  । ହଠାତ ୧୦ ମିନିଟରେ ୧୮.୫ କୋଟି ହୋଇଥିବା ଜମିର ମୂଲ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି  । ଏହି ଘଟଣା ବିଷୟରେ ଖବର ମିଶିବା ପରେ ଏହାକୁ ନେଇ ଜୋର ଧରିଛି ୟୁପି ରାଜନୀତି  । ହମିଦ ହନସାରୀ ନାମକ ଜଣେ ବ୍ୟକ୍ତି ତିନି ଏକର ଜମିକୁ ୨୦୧୧ ମସିହାରେ ୨ କୋଟିରେ କିଣିଥିଲେ  । କିନ୍ତୁ ଏହି ଜମିକୁ ରାମ ଜନ୍ମଭୂମି ଟ୍ରଷ୍ଟ ୧୮ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି  । ଆଉ ଏହା ପରେ ରାଜନୀତିରେ ପଡିଛି ରାମ ଜନ୍ମଭୂମିର ରଙ୍ଗ  ।

ଏହି ଘଟଣାରେ ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ବିରୋଧି ଦଳ ଗୁଡ଼ିକ ଆକ୍ଷେପ କରୁଥିବାବେଳେ ବିଜେପି ମଧ୍ୟ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି  । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ରାମ ଜନ୍ମଭୂମି ଟ୍ରଷ୍ଟକୁ ରିପୋର୍ଟ ମାଗିଛନ୍ତି ନଡ୍ଡା ଏବଂ ଶାହା  । ରାମ ଜନ୍ମ ଭୂମି ଜମି କିଣା ମାମଲାରେ ବିଜେପି ବଡ଼ ଧରଣର ଦୁର୍ନିତୀ କରିଥିବା ନେଇ ଅଭିଯୋଗ କରିଥିଲେ ବିରୋଧି ଦଳ  । ସମାଜବାର୍ଦୀ ପାର୍ଟି ଏବଂ ଆମ ଆଦମୀ ପାର୍ଟି ଏନେଇ ବିଜେପି ବିରୋଧରେ ଆରୋପ ଲଗାଇଛନ୍ତି  ।

ଏହା ବିଜେପିର ଏକ ଜମି ଘୋଟଲା ଘଟଣା ବୋଲି ଅଭିଯୋଗ ଆଣିଛନ୍ତି ବିରୋଧି  । ସେପଟେ ଏହି ଘଟଣାରେ କୌଣସି ସତ୍ୟତା ନାହିଁ ବଂର ଜମିର ମୂଲ୍ୟ ଅନୁଯାୟୀ ହିଁ ଏହାକୁ କିଣାଯାଇଥିବା କହିଛନ୍ତି ରାମ ମନ୍ଦିର ଟ୍ରଷ୍ଟ ମହାସଚିବ  । ଅନ୍ୟପଟେ ଗୃହମନ୍ତଚ୍ରୀ ଅମିତ ଶାହା ଏହାରୁ ପୁଙ୍ଖାନୁପୁଙ୍କ ରିପୋର୍ଟ ମାଗିଛନ୍ତି  । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦମି ଘଟଣାରେ ରିପୋର୍ଟ କାର୍ଡ ମଗାଇଛନ୍ତି  ।

କରୋନା ମୃତକଙ୍କ ମୁହଁ ଦେଖାଇବା ପାଇଁ ଲାଞ୍ଚ ମାଗିଲେ ୫ ହଜାର ଟଙ୍କା

କେନ୍ଦୁଝର: କରୋନା ପାଇଁ ସବୁଠି ହାହାକାର। ନିଜ ପରିବାର ଲୋକଙ୍କୁ ହରାଇ ମର୍ମାହତ ଶହଶହ ଜୀବନ। କେତେ ଜୀବନକୁ ଛଡ଼ାଇ ନେଇଛି ଅଦୃଶ୍ୟ ଭୂତାଣୁ। ହେଲେ କରୋନା କାଳରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ରକ୍ତ ଗରମ ହୋଇଯିବ। କରୋନା କାଳରେ ଦୁଃଖର ଫାଇଦା ଉଠାଉଛନ୍ତି ଦଲାଲ। କେଉଁଠି ଆମୁଲାନ୍ସ ପାଇଁ ଦଲାଲ ଅଧିକ ଟଙ୍କା ମାଗିଲାଣିତ ପୁଣି କେଉଁଠି ଡାକ୍ତରଖାନାରେ ବେଡ ପାଇଁ ଟଙ୍କା। ଆଉ ଏବେ ଶ୍ମଶାନରେ କରୋନା ମୃତକଙ୍କ ମୁହଁ ଦେଖାଇବା ପାଇଁ ଦଲାଲ ଟଙ୍କା ମାଗୁଥିବା ଭିଡିଓ ଶାମ୍ନାକୁ ଆସିଛି। ମନରେ ନିଜରଙ୍କୁ ହରାଇବାର ଦୁଃଖ ସାଙ୍ଗକୁ ଟଙ୍କାର ଚଡ଼କ ପରିବାର ଲୋକଙ୍କ ଉପରେ ପଡ଼ିଛି।

ଶ୍ମଶାନରେ କୋଭିଡ୍ ମୃତକଙ୍କ ମୁହଁ ଦେଖାଇବାକୁ ୫ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। କରୋନାରେ ଚମ୍ପୁଆ ଅଞ୍ଚଳର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ମଶାଣିରେ ପହଞ୍ଚିଥିଲେ ମହିଳାଙ୍କ ଆତ୍ମୀୟସ୍ବଜନ। ହେଲେ ସେଠାରେ ମହିଳାଙ୍କର ମୁହଁ ଦେଖାଇବାକୁ ୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅନ୍ତିମ ସଂସ୍କାର କରୁଥିବା କର୍ମଚାରୀ। ଲାଞ୍ଚ ଦାବି ସମୟରେ ସଂପୃକ୍ତ କର୍ମଚାରୀଙ୍କ ଭିଡିଓ ଉତ୍ତୋଳନ କରିଛନ୍ତି ସମ୍ପର୍କୀୟ। ସେପଟେ ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ନକଲି ଔଷଧ କାରବାର ତଦନ୍ତ ନେଇ କ୍ରାଇମ ବ୍ରାଞ୍ଚ STFର ଏକ ସ୍ବତନ୍ତ୍ର ଟିମ୍ ଗଠନ

ଭୁବନେଶ୍ୱର: ଓଡ଼ିଶାରେ ନକଲି ଔଷଧ କାରବାର ପ୍ରସଙ୍ଗ। ରାଜ୍ୟରେ କରୋନା ସାଙ୍ଗକୁ ଏବେ ନକଲି ଔଷଧର କାରବାର ଚିନ୍ତା ବଢ଼ାଇଛି। ଲୋକେ ଔଷଧ କିଣିବାକୁ ଏବେ ଭୟ କରୁଛନ୍ତି। ଧିରେ ଧିରେ ନକଲି ଔେଧର ଗୁମର ଖୋଲିବାକୁ ଲାଗୁଛି। ତେବେ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ପୋଲିସ ଡିଜିଙ୍କ ପ୍ରତିକ୍ରିୟା। ନକଲି ମେଡିସିନ କାରବାର ଉପରେ ରୋକ ଲଗେଇବାକୁ ତିଆରି ହେଲା ଖସଡ଼ା। ତଦନ୍ତ ନେଇ କ୍ରାଇମ ବ୍ରାଞ୍ଚ STFର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି। ସେପଟେ STF ସହ ଆଲୋଚନା କରିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆମେ କ୍ରାଇମ ବ୍ରାଞ୍ଚ ସହ ଯୋଗାଯୋଗରେ ଅଛୁ। ତଦନ୍ତରେ ଯାହା ଆବଶ୍ୟକ ସହଯୋଗ କରିବୁ ବୋଲି ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି।

ନକଲି ଔଷଧ କାରବାର ନେଇ କେନ୍ଦ୍ରୀୟ ଔଷଧ ଏଜେନସିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ନକଲି କରୋନା ଔଷଧ କାରବାର ପ୍ରସଙ୍ଗ। କେନ୍ଦ୍ରୀୟ ଏଜେନସିକୁ ଟାର୍ଗେଟ କଲା ବିଜେଡି। ଦେଶବ୍ୟାପୀ ନକଲି ଔଷଧ କାରବାରକୁ ନେଇ ବିଜେଡି ସାଂସଦ ସୁବାସ ସିଂ କେନ୍ଦ୍ରୀୟ ଏଜେନସିକୁ ଟାର୍ଗେଟ କରିଛନ୍ତି। ବହୁ ଆଗରୁ କେନ୍ଦ୍ରୀୟ ଏଜେନସି ନକଲି ଔଷଧ କାରବାରର ଯାଞ୍ଚ କରିବାର ଥିଲା ବୋଲି କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ।

କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସାରା ଦେଶ ଲାଗି ଏକ ଉଦାହରଣ ବୋଲି ବିଜେଡି କହିଛି। କରୋନା ଭଳି ଭୟଙ୍କର ସ୍ଥିତିରେ ନକଲି ଔଷଧ କାରବାର ଅତ୍ୟନ୍ତ ନିନ୍ଦନୀୟ। ଯାହାର ପର୍ଦ୍ଦଫାସ କରିବା ପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିବା କହିଲେ ବିଜେଡି ସାଂସଦ ସୁବାସ ସିଂ। ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରି ନକଲି ଔଷଧ କାରବାରର ତୃଣମୂଳ ସ୍ତର ଯାଏ ପହଞ୍ଚିବ ବୋଲି ଆଶା ରଖିଛି ଦଳ।

ସେପଟେ ନକଲି ଔଷଧ ପ୍ରସ୍ତୁତିର ସ୍ଥାନ ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶ ଏହାର ଟେର୍‌ ପାଇ ନ ଥିବାବେଳେ ଓଡ଼ିଶା ସରକାର ଏ ନେଇ ଏକ ବଡ଼ ଉଦାହରଣ ସାଜିଛନ୍ତି ବୋଲି ସୁବାସ କହିଛନ୍ତି। ନକଲି ମେଡିସିନ୍ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ। ନକଲି ମେଡିସିନ୍ କୁଆଡେ ଆସୁଛି, କେଉଁଠି ବ୍ୟବହାର ହୋଇଛି ତାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

କୁହୁଳୁଛି LJP ନିଆଁ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ

ପାଟନା: ଘଡ଼ିକେ ଛୁଟୁଛି ଘୋଡ଼ା  । ଏଲଜେପିର ବିଦ୍ରୋହ ଏବେ ବ୍ୟାପକ ହେବାରେ ଲାଗିଛି  । ଦାଦା ପୁତୁରା କନ୍ଦଳ ଭିତରେ, ବଳି ପଡିବାକୁ ଯାଉଛନ୍ତି ପୁତୁରା ଚିରାଗ  । ଦାଦା ପଶୁପତି ପାରସଙ୍କ ସପକ୍ଷରେ ୫ ଜଣ ସାସଂସ ରହିଛନ୍ତି  । ସେପଟେ ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଚିରାଗ ପାଶୱାନଙ୍କୁ ପଦବୀରୁ ହଟାଇଦେଇଛନ୍ତି ଦାଦା  । ଅନ୍ୟପଟେ ତାଙ୍କ ସ୍ଥାନରେ ସୁରଜ ଭାନ ସିଂଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି  । ସେପଟେ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଅଭିଯୋଗରେ ପାର୍ଟିର ପଦବୀରୁ ଚିରାଗଙ୍କୁ ହଟାଯିବା ପରେ ଚିରାଗ ଏକ ଜରୁରୀକାଳୀନ ବୈଠକ ଡ଼କାଇଛନ୍ତି  । ମିଳିଥିବା ସୂଚନା ମୁତାବକ ଚିରାଗ ପାଶୱାନ କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି  ।

ବିହାର ରାଜନୀତିରେ ଘମାସନ ପରେ ଏବେ ସାମ୍ନାକୁ ଆଉ ଏକ ଚିତ୍ର  । ଦାଦା-ପୁତୁରା କ୍ଷମତା ଲଢେଇ ଭିତରେ ପଦାରେ ପଡିଛି ଦଳୀୟ କନ୍ଦଳ  । ଫଳରେ ଦାଦ କିଛି ସାଂସଦଙ୍କୁ ନେଇ ଦଳ ଛାଡ଼ିବାକୁ ଅଡି ବସିଥିବାବେଳେ ପୁତୁରା ବୁଝାଇବା ପାଇଁ ପ୍ରୟାସରତଥିଲେ  । କିନ୍ତୁ ସମସ୍ତ ପକ୍ରିୟାରେ ଫେଲ ମାରିଥିଲେ ପୁତୁରା ଚିରାଗ ପାଶୱାନ  । ବିହାର ପାଣିପାଗକୁ ଭଲ ଭାବେ ପରଖି ଛତା ଧରୁଥିବା ନେତା ଥିଲେ ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନ  । ତାଙ୍କ ଦେହାନ୍ତ ପରେ ଦଳରେ ଜୋର ଧରିଛି ଜକଳହ  । ଆଉ ଯେଉଁ ନିଆଁ ଏବେ ବିହାରରୁ ଦିଲ୍ଲୀକୁ ବ୍ୟାପିଛି  । ଲୋଜପା ର ପାଞ୍ଚ ଜଣ ସାଂସଦଙ୍କୁ ସାଥିରେ ନେଇ ବିଜେପିରେ ମିଶିବାକୁ  ଥିବାବେଳେ ସେପଟେ ଚିରାଗଙ୍କୁ ବିରୋଧି ଦଳ ଅଫର ଦେବା ପାଇଁ ପକ୍ରିୟା ଆରମ୍ଭ କରିଦେଇଛି  ।

ଲୋଜପା ନେତା ତିରାଗ ପାଶୱନକୁ ସାଥିରେ ମିଶାଇବା ପାଇଁ ଥୋପ ପକାଇଛନ୍ତି କଂଗ୍ରେସ ଏବଂ ଜେଡ଼ିୟୁ  । ଆରଜେଡ଼ି ବିପକ୍ଷରେ ପ୍ରାର୍ଥୀ ଦେଉଥିବା ଲୋଜପା ଜେଡିୟୁ ବିରୋଧରେ ବିଷ ଓଗାଳିଥିଲା  । କିନ୍ତୁ ଏବେ ଜନଶକ୍ତି ପାର୍ଟିରେ ଫାଟ ସୃଷ୍ଟି ହେବା ଦାଦା ପୁତୁରାଙ୍କ ମୋଡ ବଦଳିଯାଇଛି  । ଚିରାଗଙ୍କୁ ନେବା ପାଇଁ ଆରଜେଡ଼ି ନେତା ପ୍ରୟାସ ଆରମ୍ଭ କରିଦେଇଛନ୍ତି  । ମିଳିଥିବା ସୂଚନା ମୁତାବକ କିଛି ଆରଜେଡ଼ି ନେତା ତିରାଗଙ୍କୁ ଭେଟିବା ସଦ ଦଳରେ ମିଶିବା ନେଇ ପ୍ରସ୍ତାବ ଦେଇଛନ୍ତି  । ଅର୍ଥାତ ଚିରାଗ ଏବଂ ତେଜସ୍ୱୀଙ୍କ ଦଳ ମିଳିତ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛନ୍ତି    । ସେପଟେ ଏନେଇ ଚିରାଗ ପାଶୱାନଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଆରଜେଡ଼ି ନେତାଙ୍କ ଭିତରେ ଆନନ୍ଦ ଦେଖାଦେଇଛି  ।

କ୍ୟାବିନେଟ ମୋହର ଅପେକ୍ଷାରେ ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ

ଭୁବନେଶ୍ୱର: କେମିତି ଭାଗଚାଷୀଙ୍କ ସ୍ବାର୍ଥ ସୁରକ୍ଷା ହେବ ? ଆଇନଗତ ଦୃଷ୍ଟିରୁ କିପରି ସେମାନେ ସରକାରଙ୍କ ସବୁ ଯୋଜନାର ଲାଭ ପାଇବେ ? ଏଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଖୁବ ଶୀଘ୍ର ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଯାଉଛନ୍ତି ସରକାର। ଏ ନେଇ ଏକ ଚିଠା ବିଲ ପ୍ରସ୍ତୁତ କରିଛି କୃଷି ବିଭାଗ। ଆଇନ ବିଭାଗର ତର୍ଜମା ପରେ ଏବେ ଏହି ବିଲଟି କ୍ୟାବିନେଟ ମୋହର ଅପେକ୍ଷାରେ ଅଛି। କାଳିଆ ଓ ବଳରାମ ଯୋଜନାରେ ସରକାର ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଓ ଋଣ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏବେ ଭୂମିହୀନ ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଲିଜ୍ ସୂତ୍ରରେ ଜମି ମାଲିକମାନେ ଚାଷ କରିବାକୁ ଜମି ଯୋଗାଇଦେବେ। ବିଲର ବ୍ୟବସ୍ଥା ଅନୁଯାୟୀ ଲିଜ ଦେଉଥିବା ଜମିର ମାଲିକମାନଙ୍କର କୌଣସି ପ୍ରକାରେ ମାଲିକାନା ସତ୍ତ୍ବାଧିକାର ଆଦୌ ପ୍ରଭାବିତ ହେବନାହିଁ।

ଚାଷଜମି ଲିଜ୍ ପାଇଁ ଜମି ମାଲିକ ଓ ଭୂମିହୀନ କିମ୍ବା ଭାଗଚାଷୀଙ୍କ ଭିତରେ ଗୋଟିଏ ଲିଜ ଚୁକ୍ତିନାମା କରାଯିବ। ଏହି ଚୁକ୍ତିନାମାକୁ ତହସିଲଦାର କିମ୍ବା ରାଜସ୍ବ ଅଧିକାରୀ କାର୍ଯ୍ୟକାରୀ କରିବେ । ଲିଜ ବାବଦରେ ଭାଗଚାଷୀ ଜମି ମାଲିକଙ୍କୁ ଅର୍ଥ କିମ୍ବା ଫସଲର ଅଂଶ ପ୍ରଦାନ କରିପାରିବେ । ଅନୁସୂଚିତ ଜନଜାତି ବର୍ଗର ଜମି ମାଲିକ କେବଳ ଅନୁସୂଚିତ ଜନଜାତି ବର୍ଗର ଭୂମିହୀନ ଚାଷୀଙ୍କୁ ଜମି ଲିଜ୍ ଦେଇପାରିବେ । ଚାଷ ଜମିକୁ ଲିଜ ସୂତ୍ରରେ ଯେ କୌଣସି ଭୂମିହୀନ ଚାଷୀ କିମ୍ବା ସ୍ବୟଂ ସହାୟକ ଗୋଷ୍ଠୀ, ଯୁଗ୍ମ ଋଣ ଗ୍ରହଣକାରୀ ଗୋଷ୍ଠୀ, ଏଫପିଓମାନେ ବି ନେଇପାରିବେ । ଚୁକ୍ତିନାମାର ଅବଧି ଗୋଟିଏ କୃଷି ବର୍ଷ କିମ୍ବା ଗୋଟିଏ ଫସଲ ଋତୁରେ ଲିଜ ସୀମିତ ରହିବ ।

ଲିଜ ଜମି ନବୀକରଣ ନ ହେବା ପର୍ଯ୍ୟନ୍ତ ଭୂମିହୀନ ଚାଷୀ ଆଉ ସମ୍ପୃକ୍ତ ଜମିରେ ଚାଷ କରିପାରିବେ ନାହିଁ । ଲିଜ୍‌ ଜମିକୁ ନେଇ କୌଣସି ବିବାଦ ଉପୁଜିଲେ ଜମି ମାଲିକ କିମ୍ବା ଲିଜ୍‌ଧାରୀ ଗ୍ରାମ ପଞ୍ଚାୟତ ଜରିଆରେ ଆପୋଷ ସମାଧାନ କରିପାରିବେ । ନହେଲେ ଚାରି ସପ୍ତାହ ଭିତରେ ସ୍ଥାନୀୟ ତହସିଲଦାର କିମ୍ବା ରାଜସ୍ବ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ପଡିବ । ଏଥିରେ ବି ସମାଧାନ ନ ହେଲେ ଜିଲ୍ଲାପାଳ କିମ୍ବା ଡିଭିଜନାଲ୍‌ କମିସନରଙ୍କ ପାଖରେ ଅଭିଯୋଗ କରାଯାଇପାରିବ । ଓଡ଼ିଶା ଚାଷ ଜମି ଲିଜିଂ ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ସରକାର ସ୍ବତନ୍ତ୍ର ଜମି ଟ୍ରିବ୍ୟୁନାଲ ଗଠନ କରିବେ । ଯାହାର ଅଧ୍ୟକ୍ଷ ଭାବେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କାର୍ଯ୍ୟ କରିବେ ।

କଟକ ବଲାଙ୍ଗୀର ପରେ ଏବେ ବୌଦ୍ଧରେ ନକଲି ଔଷଧ କାରବାର

ବୌଦ୍ଧ: ମହାମାରୀ କରୋନା ସମୟରେ ବଢ଼ି ଚାଲିଚି ନକଲି ଔଷଧ କାରବାର। ନକଲି ଔଷଧର କାରବାର କରି ଲୋକଙ୍କର ଜୀବନ ସହ ଖେଳାଯାଉଛି। ସ୍ୱଳ୍ବ ଲାଭ ପାଇଁ ଲୋଭଖୋର ବ୍ୟବସାୟୀ କରୁଛନ୍ତି ନକଲି ଔଷଧର କାରବାର। କଟକ,ବଲାଙ୍ଗୀର ପରେ ରାଜ୍ୟର ଏବେ ବୌଦ୍ଧ ଜିଲ୍ଲାରେ ଏଭଳି ନକଲି ଔଷଧ କାରବାର ହେଉଥିବା ନେଇ ଜଣାପଡିଛି। ଏଭଳି କଥା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଏହି କାରବାରର ବଲାଙ୍ଗିର ଲିଙ୍କ ଜଣାପଡିବା ପରେ ଏହାର ଚେର ବୌଦ୍ଧକୁ ଲମ୍ବିଥିବା ଜଣାପଡିଛି।

ବଲାଙ୍ଗୀର ସହର ସୁଦପଡାରେ ରହିଥିବା ମୋଦି ଫାର୍ମାସ୍ୟୁଟିକାଲ ଠାରେ ଚଢଉ କରିଥିଲା ଡ୍ରଗ୍ସ ବିଭାଗ। ନକଲି ଔଷଧ କାରବାର ବାବଦରେ ଖବର ମିଳିବା ପରେ ବୌଦ୍ଧ ଜିଲ୍ଲାର ବାଉଁଶୁଣି ମା କ୍ଷେତ୍ରପାଳିନୀ ମେଡିକାଲ ଷ୍ଟୋର ଏବଂ ପଲସାଗୋରାର ମେହେର ମେଡିକାଲ ଷ୍ଟୋର ନାମକ ଦୁଇଟି ଔଷଧ ଦୋକାନରେ ଚଢାଉ କରିଥିଲେ ବୌଦ୍ଧ ଡ୍ରଗ୍ସ ଇନସପେକ୍ଟର। ଉଭୟ ଦୋକାନରୁ ସିନଜି-୫୦୦ର ୨୨ଟି ପ୍ୟାକେଟ ଓ ମେଡିଥ୍ରାଲ-୫୦୦ର ୨୨ଟି ପ୍ୟାକେଟ ଜବତ କରାଯାଇଛି। ଜବତ ହୋଇଥିବା ଔଷଧ ନକଲି ବୋଲି ଜଣାପଡିଛି। ଏହି ଘଟଣା ପରେ ବିରମିତ୍ର ଦେହୁରୀ ଏବଂ ସୁରେଶ ମେହେର ନାମକ ଔଷଧ ଦୋକାନୀଙ୍କ ନାମରେ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ ୧୯୪୦ ସେକସନ ୧୮(ଏ)(ଆଇ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଜିଲ୍ଲାର ଆଉ କେଉଁ କେଉଁ ମେଡିସିନ ଦୋକାନ ଏହି କାରବାରରେ ସାମିଲ ହୋଇଛନ୍ତି ସେ ବାବଦରେ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିବା ଜଣାପଡ଼ିଛି। ସେପଟେ ବୌଦ୍ଧ ଜିଲ୍ଲା ଡ୍ରଗ୍ସ ଓ କେମିଷ୍ଟ ଆସୋସିଏସନ ସଭାପତି ଉପଯୁକ୍ତ ତଦନ୍ତ ହେବା ସହିତ ଦୋଷୀକୁ ଦଣ୍ଡ ମିଳୁ ଏହାଦ୍ୱାରା ମେଡ଼ିସିନ ଦୋକାନୀ ଓ ଜନସାଧାରଣଙ୍କୁ ଆସ୍ବସ୍ତି ମିଳିବ ବୋଲି କହିଛନ୍ତି।