spot_img
Home Blog Page 5666

ଅନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲରେ ଓଡ଼ିଶାର ଅକ୍ସିଜେନ୍ ପରିଚାଳନା  

ଭୁବନେଶ୍ୱର: ଭୂତାଣୁ ସହ ଦେଶ ଲଢ଼ୁଛି । ଓଡ଼ିଶା ମୁକାବିଲା ପାଇଁ ବାଟ ଦେଖାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ମହାମାରୀ ମୁକାବିଲାରେ ଓଡ଼ିଶାକୁ ଆଗରେ ରଖିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଦେଶ ସହ ବିଦେଶରେ ବି ନବୀନଙ୍କ ନିଷ୍ପତ୍ତିକୁ ନେଇ ଓଡ଼ିଶା ହେଉଛି ପ୍ରଶଂସାର ପାତ୍ର । ଅନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ ଦି ଲାନସେଟର ସମ୍ପାଦକୀୟରେ ଓଡ଼ିଶାକୁ ପ୍ରଶଂସା କରାଯାଇଛି ।

କୋଭିଡର ଦ୍ୱିତୀୟ ପ୍ରବାହରେ ଦେଶ ଯୁଝି ହେଉଛି । ସଂକ୍ରମଣର ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା । ଅନେକ ରାଜ୍ୟ ଅକ୍ସିଜେନ୍ ସଂକଟର ସମ୍ମୁଖୀନ ହୋଇଛନ୍ତି । ଅମ୍ଲଜାନ ଅଭାବରୁ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ରୋଗୀ ଆଖି ବୁଜୁଛନ୍ତି । ଏସବୁ ସ୍ଥିତିର ମୁକାବିଲା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଉଛି ଓଡ଼ିଶା ।

The Lancet Louds Odisha Governments Oxygen Management

ଦି ଲାନସେଟ୍ ପତ୍ରିକା ଉତ୍ତରପ୍ରଦେଶ, ମହାରାଷ୍ଟ୍ର କୋଭିଡ୍ ପରିଚାଳନା ଓ ପୂର୍ବ ପ୍ରସ୍ତୁତିକୁ ଖରାପ ଦର୍ଶାଇଛି । ଅନ୍ୟପଟେ କେରଳ ସହ ଓଡ଼ିଶାକୁ ପୂର୍ବ ପ୍ରସ୍ତୁତି ପାଇଁ ପ୍ରଶଂସା କରିଛି । ଓଡ଼ିଶା ଅଧିକ ଅକ୍ସିଜେନ୍ ଉତ୍ପାଦନ କରିବା ସହ କରୋନାର ଦ୍ୱିତୀୟ ପ୍ରବାହ ବେଳେ ଅନ୍ୟ ରାଜ୍ୟକୁ ଯୋଗାଉଛି । ଏହା ଅନ୍ୟମାନଙ୍କ ଲାଗି ଉଦାହରଣ ବୋଲି ଦି ଲାନସେଟରେ କୁହାଯାଇଛି ।

ଏଥିସହ ମୋଦି ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳ ହୋଇଥିବା ବେଳେ ଟ୍ୱିଟର ମାଧ୍ୟମରେ ମହାମାରୀ ନିୟନ୍ତ୍ରଣ କରୁଥିବା ଲେଖିଛି ଦି ଲାନସେଟ୍ । ବାରମ୍ବାର ବଡ଼ ଉତ୍ସବ, ଅଧିକ ଜନସମାଗମ ଦ୍ୱାରା କରୋନା ବିସ୍ଫୋରଣ ହେବା ନେଇ ଚେତାବନୀ ଦିଆ ଯାଇଥିଲେ ମଧ୍ୟ ଭାରତ ସରକାର ଶୁଣି ନଥିଲେ । ଫଳରେ ସରକାରଙ୍କ କ୍ଷତିକାରକ ପଦକ୍ଷେପ ଯଥା ନିର୍ବାଚନ ଓ ବଡ଼ ବଡ଼ ରାଜନୀତିକ ରାଲିର ଫଳ ଭାରତ ଭୋଗୁଛି ବୋଲି ଦି ଲାନସେଟ୍ ଲେଖିଛି ।

ରାଉରକେଲା ସହରର ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଉ ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ । ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନି, ଛେଣ୍ଡ୍ ଏଲସିଆର କ୍ୱାର୍ଟର ଅଞ୍ଚଳ ଏବଂ ସିଭିଲ ଟାଉନସିପର ଏନ୍-୪ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ କଟକଣା ଜାରି ରହିବ ।

RMC Declared 3 Place Of Town Containment Zone

ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବା ଆସିବା ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେଠାରେ କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟାଳୟ ଥିଲେ ତାହା ବନ୍ଦ ରହିବ । ସମ୍ପୃକ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧପତ୍ର ପହଞ୍ଚାଇବ ମହାନଗର ନିଗମ । ଏଥିପାଇଁ ମହାନଗର ନିଗମର ଅଧିକାରୀମାନଙ୍କ ନମ୍ବର ଜାରି କରାଯାଇଛି ।

RMC Declared 3 Place Of Town Containment Zone

ମହାନଗରରେ କରୋନା ଚେନ୍ ଭାଙ୍ଗିବାକୁ ଆରଏମସି ପଦକ୍ଷେପ ନେଇଛି । ତେଣୁ ଏହି ସମୟରେ କେହି ଘରୁ ବାହାରନ୍ତୁ ନାହିଁ । ଯଦି କାହା ଘରେ କାହାର କୋଭିଡ୍ ଲକ୍ଷଣ ରହିଛି ସେମାନେ ଟେଷ୍ଟିଂ କରିବାକୁ ଆଗେଇ ଆସନ୍ତୁ । ବ୍ୟାପକ ଟେଷ୍ଟିଂ କରି ଆମେ କରୋନା ଭାଇରସକୁ ଚିହ୍ନଟ କରିପାରିବା । ଲୋକଙ୍କର କାହାର କିଛି ସହାୟତା ଆବଶ୍ୟକ ଥିଲେ ମାଗଣାରେ ରାଉରକେଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧ ୮୨୧ ୩୮କୁ କଲ୍ କରିପାରିବେ ବୋଲି କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

ଘରେ ନିଆଁ ଲଗାଇଲେ ମହିଳା, ଚଉକି ଉପରେ ବସି ଦେଖିଲେ ଜଳିବାର ଦୃଶ୍ୟ

ୱାଶିଂଟନ୍: ଆମେରିକାର ମେରିଲେଣ୍ଡରେ ଜଣେ ମହିଳା ଏକ ଘରକୁ ନିଆଁ ଲଗାଇ ଜାଳିବା ସହ ଚଉକିରେ ବସି ଘରପୋଡିର ଦୃଶ୍ୟକୁ ଉପଭୋଗ କରୁଥିବା ଭଳି ଘଟଣା ନଜର ଆସିଛି ।

ପୋଲିସର ସୂଚନା ଅନୁଯାୟୀ, ୪୭ ବର୍ଷୀୟ ଏହି ମହିଳାଙ୍କ ନାମ ଗେଲ୍ ମେଟୱାଲି। ଏନେଇ ଡେପୁଟି ଷ୍ଟେଟ୍ ଫାୟାର ମାର୍ଶାଲ କୁହନ୍ତି, ସମ୍ପୃକ୍ତ ମହିଳା ଜଣକ ଘରର ବିଭିନ୍ନ କୋଣରେ ନିଆଁ ଲଗାଇ ଦେଇଥିଲେ । ଫାୟାର ଫାଇଟର୍ସ ସେଠାରେ ପହଞ୍ଚିବା ପରେ ମହିଳା ଜଣକ ଘର ଆଗରେ ବସିଥିବା ଦେଖିଥିଲେ । ପରେ ସେଠାରୁ ଚାଲି ଯାଇଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଜଣେ ବ୍ୟକ୍ତି ଘରର ବେସମେଣ୍ଟରେ ଫସି ରହିଥିଲା । ତା’ର କାନ୍ଦିବା ଶବ୍ଦ ଶୁଣିବା ପରେ ସୌଭାଗ୍ୟବଶତଃ ତାକୁ ଉଦ୍ଧାର କରାଯାଇଥିଲା । ପରେ ପୋଲିସ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ମାଡପିଟ୍ ଚାର୍ଜ ଲଗାଇଛନ୍ତି।

ସବୁ ଘଟଣାକୁ ମହିଳାଙ୍କ ପଡୋଶୀ ଅବେରୀ ହାମୋଡ କ୍ୟାମେରାରେ କଏଦ କରି ନେଇଥିଲେ । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୭ ହଜାର ୬୬୪ ଜଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭ ହଜାର ୬୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ ୩୯ ହଜାର ୩୨୨ରେ ପହଞ୍ଚିଛି । ସଂକ୍ରମଣ ମାମଲାରେ ସୁବୁଠୁ ଆଗରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ୯୬୧ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୫୧୨, କଟକରୁ ୫୦୯, ସୁନ୍ଦରଗଡ଼ରୁ ୪୭୩, ଅନୁଗୁଳରୁ ୬୪୬, ବଲାଙ୍ଗିରରୁ ୪୬୧, ଝାରସୁଗୁଡ଼ାରୁ ୪୩୭, ନୂଆପଡ଼ାରୁ ୩୫୩, ବରଗଡ଼ରୁ ୩୩୪, ନବରଙ୍ଗପୁରରୁ ୩୩୦, ସମ୍ବଲପୁରରୁ ୩୨୧, ଯାଜପୁରରୁ ୨୯୦, କଳାହାଣ୍ଡିରୁ ୨୮୯, ମୟୂରଭଞ୍ଜରୁ ୨୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିଭଳି ରାୟଗଡ଼ାରୁ ୧୯୨, ଗଞ୍ଜାମରୁ ୧୬୧, କେନ୍ଦୁଝରରୁ ୧୫୪, ନୟାଗଡ଼ରୁ ୧୪୦, ସୋନପୁରରୁ ୧୨୨, ଜଗତସିଂହପୁରରୁ ୧୧୪, କୋରାପୁଟରୁ ୯୯, ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, ଗଜପତିରୁ ୭୮, କେନ୍ଦ୍ରାପଡ଼ାରୁ ୭୭, ଦେବଗଡ଼ରୁ ୭୫, କନ୍ଧମାଳରୁ ୪୫, ମାଲକାନଗିରିରୁ ୩୧, ଢେଙ୍କାନାଳରୁ ୨୨, ବୌଦ୍ଧରୁ ୨୦ ଏବଂ ଷ୍ଟେଟ ପୁଲରୁ ୧୯୨ ଜଣ ସୁସ୍ଥ ହୋଇଛନ୍ତି ।

ଅକ୍ସିଜେନ୍ ଓ ଔଷଧର ବିତରଣ ପାଇଁ ଟାସ୍କ ଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଅମ୍ଲଜାନ ଓ ଜରୁରୀ ଔଷଧ ଅଭାବ ଦେଖା ଦେଇଛି । ଏହା ଉପରେ ଲଗାତାର ଧ୍ୟାନ ରଖିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଶନିବାର ରାଜ୍ୟ ଗୁଡ଼ିକୁ ଅକ୍ସିଜେନ୍ ଏବଂ ଜରୁରୀ ଔଷଧ ନେଇ ଆବଣ୍ଟନ ପାଇଁ ୧୨ ଜଣିଆ ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି ।

ସୁପ୍ରିମକୋର୍ଟ ୧୨ ଜଣିଆ ଜାତୀୟ ଟାସ୍କ ଫୋର୍ସ ନାମ ମଧ୍ୟ ଘୋଷଣା କରିଛନ୍ତି । ଏହି ଟାସ୍କ ଫୋର୍ସରେ

୧) ଡକ୍ଟର ଭବତୋଷ ବିଶ୍ୱାସ, ପୂର୍ବତନ କୁଳପତି, ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ

୨) ଡକ୍ଟର ଦେବେନ୍ଦ୍ର ସିଂହ ରାଣା, ଅଧ୍ୟକ୍ଷ, ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ, ସାର ଗଙ୍ଗାରାମ ହସ୍ପିଟାଲ ଦିଲ୍ଲୀ

୩) ଡକ୍ଟର ଦେବୀ ପ୍ରସାଦ ସେଟ୍ଟୀ, ଅଧ୍ୟକ୍ଷ ତଥା କାର୍ଯ୍ୟକାରୀ ନିର୍ଦ୍ଦେଶକ, ନାରାୟଣ ହେଲଥ କେୟାର, ବେଙ୍ଗଳୁରୁ

୪) ଡକ୍ଟର ଗଗନଦୀପ କାଙ୍ଗ, ପ୍ରଫେସର, ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜ୍, ଭେଲ୍ଲୋର, ତାମିଲନାଡ଼ୁ

୫) ଡକ୍ଟର ଜେଭି ପିଟର, ନିର୍ଦ୍ଦେଶକ, , ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜ୍, ଭେଲ୍ଲୋର, ତାମିଲନାଡ଼ୁ

୬) ଡକ୍ଟର ନରେଶ ତ୍ରେହନ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ମେଦାନ୍ତ ହସ୍ପିଟାଲ, ଗୁରୁଗ୍ରାମ

୭) ଡକ୍ଟର ରାହୁଲ ପଣ୍ଡିତ, ନିର୍ଦ୍ଦେଶକ, ଫର୍ଟିସ୍ ହସ୍ପିଟାଲ ମୁମ୍ବାଇ

୮) ଡକ୍ଟର ସୌମିତ୍ର ରାୱତ, ଅଧ୍ୟକ୍ଷ, ସାର୍ ଗଙ୍ଗାରାମ ହସ୍ପିଟାଲ, ଦିଲ୍ଲୀ

୯) ଡକ୍ଟର ଶିବ କୁମାର ସାରିନ, ବରିଷ୍ଠ ପ୍ରଫେସର ଏବ ହେପାଟୋଲୋଜି ବିଭାଗ ମୁଖ୍ୟ, ନିର୍ଦ୍ଦେଶକ ଆଏଲବିଏସ୍ ଦିଲ୍ଲୀ

୧୦) ଡକ୍ଟର ଜାରିର ଏଫ୍ ଉଦୱାଡିଆ, ଛାତିରୋଗ ବିଶେଷଜ୍ଞ, ହିନ୍ଦୁଜା ହସ୍ପିଟାଲ

୧୧) ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର

୧୨) ଜାତୀୟ ଟାସ୍କ ଫୋର୍ସର ଆବାହକ ଏହାର ସଦସ୍ୟ ରହିବେ । ଯିଏ କି କେନ୍ଦ୍ରର କ୍ୟାବିନେଟ୍ ସଚିବ ସ୍ତରର ହୋଇଥିବ

ଚୁନ ପଥର ଖାଦାନରେ ବିସ୍ଫୋରଣ, ୧୦ ଶ୍ରମିକ ମୃତ

ହାଇଦ୍ରାବାଦ: ବଡି ଭୋରରୁ ଥରିଲା ଆନ୍ଧ୍ରପ୍ରଦେଶର କାଡାପା ଜିଲ୍ଲା ମାମିଲାପଲ୍ଲି ଗାଁ । ଏକ ଚୁନ ପଥର ଖାଦାନରେ ବିସ୍ଫୋରଣ ଘଟିଥିବା ବେଳେ  ଏଥିରେ ୧୦ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାଟି କଳସପଡୁ ବ୍ଲକର ମାମିଲାପଲା ଗ୍ରାମରେ ଘଟିଛି ।

ଏହି ବିସ୍ଫୋରଣରେ ଏକାଧିକ ଗୁରୁତର ଆହାତ ହୋଇ ମଧ୍ୟ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଖଣିରେ ଅତି କମରେ ୪୦ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମୟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ସେପଟେ, ବିସ୍ଫୋରଣରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହିତ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଦୁର୍ଘଟଣା ହେବାର କାରଣ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିସ୍ଫୋରଣରେ ପୀଡିତଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ସେହିପରି ଟିଡ଼ିପିର ନ୍ୟାସନାଲ୍ ପ୍ରେସିଡେଣ୍ଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

କଟକ ଏସସିବିରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ହେବ ଆଉ ଶହେ ବେଡ୍

ଭୁବନେଶ୍ୱର: କଟକ ସହରର କୋଭିଡ୍ ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକ ମହାନଗର ନିଗମ ଅଞ୍ଚଳରେ ଏବେ ୩, ୬୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ଆରଏଟି ରହିଛି । ଆରଏଟି ଆକ୍ରାନ୍ତଙ୍କ ସହ ଯୋଗାଯୋଗରେ ରହୁଛି । ଆବଶ୍ୟକତା ଅନୁସାରେ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି ।

କୋଭିଡ୍ କେୟାର୍ ସେଣ୍ଟରରେ ୪୦ରୁ ୪୫ ପ୍ରତିଶତ ଆକ୍ରାନ୍ତ ରହୁଛନ୍ତି । ସିସିସିର ଅକ୍ସିଜେନ୍ ସୁବିଧା ଅଛି । କିଛି ଅସୁବିଧା ହେଲେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି । ପ୍ରାୟ ୧୦ ପ୍ରତିଶତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍ ନିଆଯାଉଥିବା ବେଳେ ୩ ପ୍ରତିଶତ ଆକ୍ରାନ୍ତଙ୍କୁ ଆଇସିୟୁ ଆବଶ୍ୟକ ହେଉଛି । ଏବେ କଟକରେ ୧୨ ଶହ ବେଡ୍ ଅଛି । ୩ ଶହଟି ଆଇସିୟୁ ରହିଛି ।

Covid ICU Bed Facilities To Increased In Cuttack SCB

ଆଇସିୟୁ ଉପରେ ଚାପ ରହୁଛି । ଏସସିବିରେ ଆଉ ଶହେ ବେଡ୍ ପାଇଁ କାମ ଚାଲିଛି । ସେଠି ୪୧ଟି ଆଇସିୟୁ, ୪୧ଟି ଏଚଡିୟୁ ରହିବ । କୋଭିଡ୍ ପାଇଁ କଣ୍ଟ୍ରୋଲ ରୁମ୍ କରାଯାଇଛ । ୭୦୭୭୭୭୫୫୫୫ରେ ସାଧାରଣ ସମସ୍ୟା ପାଇଁ ସମ୍ପର୍କ କରି ହେବ । ଏଥିସହ ୧୮୦୦୩୪୫୮୨୮୯ ନମ୍ବରରେ ଜରୁରୀ ସମୟରେ କଲ୍ କରି ପାରିବେ । ଏବେ ୨ଟି ଏଲଏସ୍ ଆମ୍ବୁଲାନ୍ସ (ଭେଣ୍ଟିଲେଟର) ରହିଛି । ଏବେ ଯାଏ ଅକ୍ସିଜେନ୍ ସମସ୍ୟା ନାହିଁ ।

କିଛି ଲୋକ ଜର, କାଶ, ଥଣ୍ଡା ଲାଗି ରହିଲେ ଟେଷ୍ଟିଂ କରାଉନାହାଁନ୍ତି । ନିଶ୍ଚୟ ଟେଷ୍ଟିଂ କରାନ୍ତୁ । ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ଆସିଲେ ବି ଲକ୍ଷଣ ଥିଲେ ସନ୍ଦିଗ୍ଧ ଭାବେ କୋଭିଡ୍ ହସ୍ପିଟାଲରେ ଆଡମିଟ୍ କରାଯାଉଛି । କଟକରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏବେ ଦ୍ୱିତୀୟ ଡୋଜ୍ ଟିକା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଡୋଜର ୬ ସପ୍ତାହ ପରେ କୋଭିସିଲ୍ଡ ଟିକା ଦିଆଯାଉଛି ।

୧ ଟଙ୍କିଆ ନୋଟ୍ ବଦଳରେ ମିଳିବ ୪୫ ହଜାର ଟଙ୍କା

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଅଛିକି ପୁରୁଣା ଟଙ୍କିକିଆ ନୋଟ୍ । ଯଦି ଏହି ପୁରୁଣା ୧ ଟଙ୍କିଆ ନୋଟ୍ ରଖିଛନ୍ତି, ତାହେଲେ  ଆପଣ ଘରେ ବସି ଖୁବ୍ ରୋଜଗାର କରିପାରିବେ | ଯଦିଓ ଏହି ୧ ଟଙ୍କିଆ ନୋଟର ପ୍ରଚଳନ ଭାରତ ସରକାରଙ୍କ ଦ୍ୱାରା ବନ୍ଦ ହୋଇଯାଇଛି |

ତଥାପି ବଜାରରେ ଏହାର ମୂଲ୍ୟ ହଜାରେ ଟଙ୍କା ରହିଛି। ଏମିତିକି ଅନଲାଇନ୍ ପ୍ଲାଟଫର୍ମରେ ୧ ଟଙ୍କିଆ ନୋଟର ଏକ ବଣ୍ଡଲ୍ ୪୫ ହଜାର ମୂଲ୍ୟରେ ବିକ୍ରି ହେଉଛି | ଏହି ନୋଟରେ ୧୯୫୭ ମସିହାର ରାଜ୍ୟପାଳ ଏଚଏମ ପଟେଲଙ୍କ ଦସ୍ତଖତ ହୋଇଛି। ଏହି ନୋଟର କ୍ରମିକ ସଂଖ୍ୟା ହେଉଛି ୧୨୩୪୫୬ ।

କେଉଁଠି ବିକ୍ରି କରିପାରିବେ-

ବିଗତ 26 ବର୍ଷ ପୂର୍ବେ ଭାରତ ସରକାର ଏକ ଟଙ୍କିଆ ମୁଦ୍ରା ନୋଟର ପ୍ରଚଳନକୁ ବନ୍ଦ କରିଦେଇଥିଲେ। ପରେ ୨୦୧୫ ମସିହା ଜାନୁଆରୀ ୧ରୁ ଏହାର ମୁଦ୍ରଣ ପୁଣି ଆରମ୍ଭ କରାଯାଇଥିଲା ଏବଂ ଏହି ନୋଟ୍ ବଜାରରେ ମଧ୍ୟ ପ୍ରଚଳିତ ହୋଇଥିଲା| ତଥାପି  ଅନେକ ଲୋକଙ୍କ ପାଖରେ ଏବେବି ପୁରୁଣା ନୋଟ୍ ରହିଛି ।  ଏହି ପୁରୁଣା ନୋଟଗୁଡିକ OLX ଏବଂ  India Mart ଭଳି ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ହେଉଛି । ଏଠାରୁ ଆପଣ ଯେଉଁ ବର୍ଷର ନୋଟ୍ ଚାହିଁବେ କିଣି ପାରିବେ ।

ଏହି ଅନଲାଇନ୍ ପ୍ଲାଟଫର୍ମରେ ଏଭଳି ଏକ ନୋଟ୍ ରହିଛି ଯାହାର ନିଲାମ ଡାକରା ୭ ଲକ୍ଷରେ ପହଞ୍ଚିଛି । ନୋଟଟି ସ୍ୱାଧୀନତା ପୂର୍ବର ବୋଲି ଜଣାପଡିଛି । ଯଦି ଏଭଳି ନୋଟ୍ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ ମଧ୍ୟ ମୋଟା ଅଙ୍କର ଟଙ୍କା କମାଇପାରିବେ । ଦଶକ ପୁରୁଣା ୧, ୧୦, ୧୦୦ ଓ ୫୦୦ ଟଙ୍କାର ନୋଟ୍ ଅନଲାଇନ୍ ମାର୍କେଟରେ ହଜାରରୁ ଲକ୍ଷେ ଟଙ୍କାରେ ବିକ୍ରି ହେଉଛି ।

ପୁରୁଣା ନୋଟ୍ କିମ୍ବା କଏନର ନିଲାମୀ ଲାଗି ଆପଣଙ୍କୁ OLX ଭିଜିଟ୍ କରିବାକୁ ପଡ଼ିବ । ପରେ ନିଜର ଲଗଇନ୍ ଆଇଡି କ୍ରିଏଟ୍ କରିବାକୁ ପଡ଼ିବ । ଏହା ବ୍ୟତୀତ ଆପଣ indiamart.comରେ ଏଭଳି ଆକାଉଣ୍ଟ ବନାଇ ପଇସା କମାଇ ପାରିବେ । ନିଲାମୀ ଲାଗି ଆପଣଙ୍କୁ ଏହି ନୋଟର ଫଟୋ ଶେୟାର କରିବାକୁ ପଡ଼ିବ । ବର୍ତ୍ତମାନ ସମୟରେ ଅନେକ ଲୋକ ପୁରୁଣା ଜିନିଷ ତଥା ଆଣ୍ଟିକ୍ ସାମଗ୍ରୀ କିଣିଥାନ୍ତି । ଯେଉଁଥିରୁ ମୋଟା ଅଙ୍କର ଅର୍ଥ ରୋଜଗାର କରାଯାଇପାରେ ।

ଗଲା ୬ ମାସରେ କିଛି କାମ କରିନି କେନ୍ଦ୍ର, କ୍ଷମତା ପାଇଁ ପଶ୍ଚିମବଙ୍ଗ ଆସୁଥିଲେ ମନ୍ତ୍ରୀ: ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ଥମିଛି, ହେଲେ ଉଷ୍ମତା ଥମୁନି । କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ସମସ୍ତଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । କରୋନାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ଗତ ୬ ମାସ ହେଲା କିଛି କାମ କରିନାହିଁ । ପଶ୍ଚିମବଙ୍ଗରେ କ୍ଷମତା ହାତେଇବା ଲାଗି ମନ୍ତ୍ରୀମାନେ ପ୍ରତିଦିନ ବୁଲି ଆସୁଥିଲେ ।

West Bengal CM Mamata Banerjee Attacks Centre

ଏଥିସହ ମମତା ଦେଶବ୍ୟାପୀ ସମସ୍ତଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ଦାବି କରିଛନ୍ତି । ବିଧାନସଭାରେ ମମତା କହିଛନ୍ତି, କେନ୍ଦ୍ର ସରକାରଙ୍କ ଲାଗି ୩୦ ହଜାର କୋଟି ଟଙ୍କା କିଛି ନୁହେଁ । ପୂରା ଦେଶରେ ଗୋଟିଏ ଟିକାକରଣ ହେବା ଉଚିତ୍ । ସମସ୍ତଙ୍କ ଲାଗି ଟିକାକରଣ କେନ୍ଦ୍ର ପ୍ରାଥମିକତା ଦେବା କଥା । କିନ୍ତୁ ସେ ନୂଆ ସଂସଦ ଭବନ, ପ୍ରଧାନମନ୍ତ୍ରୀ ଆବାସ ଆଦି ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

କେନ୍ଦ୍ର ପାତରଅନ୍ତର କରୁଥିବା ନେଇ ଅଭିଯୋଗ କରିଛନ୍ତି ମମତା । କହିଛନ୍ତି, ପଶ୍ଚିମଙ୍ଗ ସହ ଏତେ ପାତରଅନ୍ତର କାହିଁକି ? ଶପଥ ଗ୍ରହଣର ମାତ୍ର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ଟିମ୍ ପଠାଇଛି । ପ୍ରକୃତରେ ବିଜେପି ଜନାଦେଶ ମାନିବାକୁ ପ୍ରସ୍ତୁତ ନୁହେଁ । ମୁଁ ହିଂସାକୁ କେବେ ସମର୍ଥନ କରେନି । ବିଜେପି ମିଛ ଖବର ଓ ମିଛ ଅଡିଓ ଭାଇରାଲ୍ କରୁଛି ।

ପହଞ୍ଚିଲା ୧ ଲକ୍ଷ ଡୋଜ୍ କୋଭିସିଲ୍ଡ, ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ ୧୮ରୁ ଊର୍ଦ୍ଧ୍ୱ ବୟସ୍କ ନେବେ ଟିକା

ଭୁବନେଶ୍ୱର: ସୋମବାର ଠାରୁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବ । ଆଜି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ରାଜ୍ୟ ଦେଇଥିବା ଅର୍ଡରରୁ ୧ ଲକ୍ଷ ଡୋଜ୍ ଟିକା ପଠାଇଛି ସେରମ୍ । ଆସନ୍ତା ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଦିଆଯିବ ।

Odisha Received One Lakh Dose Of Covishield For 18 Plus

ମେ’ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା । ତେବେ ସେତେବେଲେ କେବଳ କୋଭାକ୍ସିନ୍ ରାଜ୍ୟ ପାଖକୁ ଆସିଥିଲେ । ସେହି ଅନୁସାରେ, ଭୁବନେଶ୍ୱରରେ କୋଭାକ୍ସିନ୍ ଦିଆଯାଉଥିବାରୁ ୧୮ ବର୍ଷରୁ ୪୪ ବୟସ୍କଙ୍କ ଟିକାକରଣ ଜାରି ରହିଥିଲା । ଅର୍ଡର ଅନୁସାରେ କୋଭିସିଲ୍ଡ ଆସି ନଥିବାରୁ ଭୁବନେଶ୍ୱର ବ୍ୟତୀତ୍ ଅନ୍ୟ କେଉଁଠି ଟିକାକରଣ ଆରମ୍ଭ ହୋଇ ପାରିନଥିଲା ।

ଆଜି ୧ ଲକ୍ଷ କୋଭିସିଲ୍ଡ ପହଞ୍ଚିବା ପରେ ସୋମବାର ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି । ମେ ୭ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ମଧ୍ୟରୁ ୨ ଲକ୍ଷ ୧୬ ହଜାର ୫୪୦ ଡୋଜ୍ ଏବଂ କେନ୍ଦ୍ର ଦେଉଥିବା କୋଭାକ୍ସିନରୁ ୩ ଲକ୍ଷ ୫୩ ହଜାର ୮୨୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ ଅର୍ଡର କରିଥିବା କୋଭାକ୍ସିନରୁ ୧ ଲକ୍ଷ ୧୪ ହଜାର ୭୦ ଡୋଜ୍ ଟିକା ଗଚ୍ଛିତ ଅଛି ।