ଭୁବନେଶ୍ୱର: ରାଜ୍ୟର ୨୯ ଜିଲ୍ଲାକୁ ବ୍ୟାପିଲା କରୋନା । ରାଜ୍ୟରେ ଆଉ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନରୁ ୪୫୯, ଲୋକାଲ କେସ୍ ୩୩୨ । ସୁନ୍ଦରଗଡ଼ରେ ସର୍ବାଧିକ ୧୪୭, ଖୋର୍ଦ୍ଧାରେ ୧୧୮, ବରଗଡ଼ରୁ ୪୮, କଟକରୁ ୪୬, ସମ୍ବଲପୁରରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୩୯, କଳାହାଣ୍ଡିରୁ ୩୮, ଝାରସୁଗୁଡାରୁ ୩୧ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଟପୁଲରୁ ୨୭, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରରୁ ୨୩, ଅନୁଗୁଳରୁ ୧୭, ଯାଜପୁରରୁ ୧୬, ରାୟଗଡ଼ା ଓ ବଲାଙ୍ଗୀରରୁ ୧୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୦, ଗଞ୍ଜାମ, ଜଗତସିଂହପୁର ଓ କୋରାପୁଟରୁ ୯ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ଼ ଓ ସୋନପୁରରୁ ୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୬, କନ୍ଧମାଳରୁ ୪, ଢେଙ୍କାନାଳରୁ ୩, ବୌଦ୍ଧ ଓ ମାଲକାନଗିରିରୁ ୨ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେଓଗଡ଼ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୪ହଜାର ୬୪୭ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୮ହଜାର ୪୧୬ । ଆକ୍ଟିଭ କେସ୍ ୪୨୫୫ ।
RBI ମନିଟାରୀ ପଲିସି ମିଟିଂରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଅପରିବର୍ତ୍ତିତ ରହିଲା ରେପୋରେଟ୍ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରୀ ପଲିସି କମିଟିରେ ଏ ନେଇ ନିଷ୍ପତ୍ତି ହୋଇଛି । ପୂର୍ବପରି ୪ ପ୍ରତିଶତ ରେପୋ ରେଟ୍ ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । କରୋନା ଯୋଗୁ ସାରାବିଶ୍ୱର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ କରୋନା ଟିକାକରଣ ଯୋଗୁଁ ଜିଡିପି ଟ୍ରାକ୍କୁ ଫେରୁଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଗତ ଫେବୃୟରୀରେ ବସିଥିବା ଦ୍ୱିମାସିକ ମନିଟାରୀ ପଲିସି କମିଟି ବୈଠକରେ ରେପୋରେଟ୍ ଅପରବର୍ତ୍ତିତ ରଖିଥିଲେ ।
ଏଥିସହିତ ପଢ଼ନ୍ତୁ: ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱରୁ ମୁମ୍ୱାଇ ଗଲା ଓଡ଼ିଆ ଖାଦ୍ୟ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଓ କାଜଲ୍ କରିଥିଲେ ଅର୍ଡର
ଭୁବନେଶ୍ୱର: ଫ୍ଳାଇଟ୍ରେ ଗଲା ଖାଦ୍ୟ । ଯାତ୍ରୀ କିମ୍ୱା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ବିମାନରେ ନିଆଯାଉଥିବା ଆପଣ ଶୁଣିଥିବେ । କିନ୍ତୁ ଭୁବନେଶ୍ୱରୁ ଫ୍ଳାଇଟ୍ରେ ଯାଇଛି ଖାଦ୍ୟ । କେବଳ ଫ୍ଳାଇଟ୍ରେ ପଠାଯାଇନ ତ, ଭୁବନେଶ୍ୱରୁ ବଲିଉଡକୁ ପଠାଯାଇଛି ଓଡ଼ିଆ ଖାଦ୍ୟ । ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ କାଜଲଙ୍କ ପାଇଁ ଭୁବନେଶ୍ୱରର ରୋଜିସ୍ କିଚେନ୍ରୁ ଖାଇବା ଦିଆଯାଇଛି । ତାହା ପୁଣି ଖାଣ୍ଟି ଓଡ଼ିଆ ଘରର ପାରମ୍ପାରିକ ଖାଇବା । ରୋଜିଙ୍କ କ୍ଷୀରପୋଡ଼ ପିଠାର ଅନେକ ଜଣ ଫ୍ୟାନ୍ ରହିଛନ୍ତି । ପିଠାଠାରୁ ଆରମ୍ଭ କରି କଙ୍କଡ଼ା ତରକାରୀ, ମାଛ ତରକାରୀ । ଅଭିନେତା ଅଜୟ ଦେବଗନ୍ ଓ ଅଭିନେତ୍ରୀ କାଜୋଲ୍ ରୋଜିସ୍ କିଚେନକୁ ଏହି ସ୍ୱତନ୍ତ୍ର ଅର୍ଡର ଦେଇଛନ୍ତି । ଓଡ଼ିଆ ଖାଦ୍ୟ ଫ୍ଳାଇଟ୍ରେ ମୁମ୍ୱାଇ ଯାଉଛି । ପୂର୍ବରୁ ବଲିଉଡ୍ର ବଡ଼ ବଡ଼ ଷ୍ଟାରମାନଙ୍କ ପାଖକୁ ଓଡ଼ିଶାରୁ ଏହି ସ୍ୱତନ୍ତ୍ର ଖାଦ୍ୟ ପଠାଯାଇଥିଲା । କିନ୍ତୁ ଏଥର ରୋଜିସ୍ କିଚେନ୍ରୁ ଯାଇଛି ଖାଦ୍ୟ । ଡ. ଭିନିତ୍ ରୋଜିସ୍ କିଚେନ୍ରୁ ବାରମ୍ୱାର କ୍ଷୀରପୋଡ଼ ପିଠା ଖାଇବା ପରେ ଅଜୟ ଏବଂ କାଜୋଲ୍କୁ ଦେଇଥିଲେ । ପରେ ଏହି କ୍ଷୀର ପୋଡ଼ ପିଠା ପାଇଁ ସେମାନେ ଅର୍ଡର କରିଥିଲେ । ଡା. ଭିନିତ୍ଙ୍କ ଫାର୍ମରୁ କଙ୍କଡ଼ା, ମାଛ, ଚିଙ୍ଗୁଡ଼ି, ବାଉଁଶ ଚିକେନ୍, ଚୁନା ମାଛ ପତ୍ରପୋଡ଼ା ଆଦି ତିଆରି କରି ପଠାଇଛନ୍ତି । ଏହା ସହିତ ଛେନାପୋଡ଼, ରସଗୋଲା, ଗୁଲାବ୍ ଜାମୁନ୍ ଆଦି ମିଠା ମଧ୍ୟ ସନ୍ଧ୍ୟାରେ ଫ୍ଳାଇଟ୍ରେ ପଠାଯାଇଛି । ଓଡ଼ିଶାର ଖାଦ୍ୟ ସେମାନେ ପସନ୍ଦ କରିଥିବାରୁ ନିଜକୁ ଗର୍ବ ଅନୁଭବ କରିଛନ୍ତି କିଚେନ୍ର ମୁଖ୍ୟ ସରୋଜା ଚୌଧୁରୀ । ଖୁବଶୀଘ୍ର ଜୁହୁ ବିଚ୍ରେ ନିଜ ଟିମ୍କୁ ନେଇ ଓଡ଼ିଆ ଖାଦ୍ୟ ରାନ୍ଧି ବଲିଉଡ୍ ଷ୍ଟାରଙ୍କୁ ଖୁଆଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଖାଳ, ଭାତ, ଘୋରା ମଣ୍ଡା, କାକରା, ସରସତିଆ ପିଠା, ଡାଲମା କାନିକା, କଖାରୁ ଫୁଲ ଭଜା, ବେସର ତରକାରୀ ଆଦି ଖୁଆଇବାକୁ ଯୋଜନା ରହିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପାଖକୁ ଖାଦ୍ୟ ପଠାଉଥିବା ସେ କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ପୁତ୍ର ସନ୍ତାନର ବାପା ହେଲେ ସୁପରଷ୍ଟାର ବାବୁସାନ୍
ବାଲି ଉଠାଣକୁ ନେଇ ଥାନା ଭିତରେ ଗଣ୍ଡଗୋଳ: ୨ ଆହତ
ବାଲେଶ୍ୱର: ଥାନା ଭିତରେ ଗଣ୍ଡଗୋଳ । ରେମୁଣା ଥାନା ଭିତରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ । ଆକ୍ରମଣରେ ଦୁଇ ଜଣ ଆହତ । ସୋନ ନଦୀରୁ ବାଲି ଉଠାଣକୁ ନେଇ ରେମୁଣା ଥାନା ମନ୍ଦାରପୁର ଓ ନିଆଁବାଗ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିବା ବେଳେ ଗତ କିଛି ଦିନର ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି ।
ଘଟଣାନୁଯାୟୀ, ମଙ୍ଗଳବାର ରାତିରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚି ଥିବାବେଳେ, ସେହି ସମୟରେ ଅନ୍ୟ ଗୋଷ୍ଠୀର ଲୋକେ ଥାନାରେ ପହଁଚି ଥିଲେ । ଉଭୟଙ୍କ ମଧ୍ୟରେ ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଗୋଟିଏ ପକ୍ଷକୁ ଅତର୍କିତ ଆକ୍ରମଣ ହେଉଥିବାରୁ ପୋଲିସ ପ୍ରଥମେ ପହଁଚିଥିବା ଲୋକଙ୍କୁ ଆୟତ୍ତ କରୁଥିବା ସମୟରେ କିଛି ଉତ୍ୟକ୍ତ ଲୋକ ଥାନା ଭଙ୍ଗାରୁଜା କରିବା ସହ ତେଲେଙ୍ଗା କଟୁରିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ରଘୁନାଥ ସାହୁ, ପ୍ରମିତା ଦାସ । ଉଭୟଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ପୋଲିସ ସାମ୍ନାରେ ଏଭଳି ଘଟଣା ଘଟିଥିବାରୁ ପୋଲିସ ପ୍ରତି ଆହତ ଗୋଷ୍ଠୀର ଲୋକଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରୁ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ । ପୋଲିସ ଥାନାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗଣ୍ଡଗୋଳକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ଉତ୍ତେଜନାକୁ ଦେଖି ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।
ଏଥିସହିତ ପଢ଼ନ୍ତୁ: ଥାନାରେ ଡ୍ୟାନ୍ସ: ସସପେଣ୍ଡ ହେଲେ ଏଏସଆଇ, ଚେତାବନୀ ଦେଲେ ଏସପି
ମାଓ କ୍ୟାମ୍ପରେ ବନ୍ଦୀ ଥିବା ଯବାନଙ୍କୁ ମୁକଳାଇବାକୁ ମାଓ ଇଲାକାକୁ ଯିବେ ସୋନି ସୋରି
ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ୨୩ ଯବାନ ଶହୀଦ ହୋଇଥିବାବେଳେ ଏବେବି ନକ୍ସଲଙ୍କ କବଜାରେ ରହିଛନ୍ତି ସିଆରପିଏଫ ଯବାନ ରାଜେଶ୍ୱର ସିଂ । ମାଓ କ୍ୟାମ୍ପରେ ବନ୍ଦୀ ହୋଇରହିଥିବା ରାଜେଶ୍ୱରଙ୍କୁ ମୁକୁଳେଇବା ପାଇଁ ମାଓବାଦୀଙ୍କୁ ନିବେଦନ କରିବେ ସୋନି ସୋରି । ୭ ଜଣିଆ ଟିମ ସହ ଆଜି ମାଓ ଇଲାକା ଯିବେ ବୋଲି ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି ସୋନି ସୋରି । ସୋନି ସୋରି ପ୍ରେସ ବିଜ୍ଞପ୍ତି ଜରିଆରେ ଏଭଳି ସୂଚନା ଦେବା ପରେ ମାଓବାଦୀ ପକ୍ଷରୁ ଏକ ପ୍ରେସ ଇସ୍ତାହର ଜାରି କରାଯାଇଛି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ନେଇ ସୂଚନା ଦେଇଛି ମାଓବାଦୀ ସଂଗଠନ । ତେବେ ବର୍ତ୍ତମାନ ସମୟରେ ଉପୁଜିଥିବା ପରିସ୍ଥିତିର ସମାଧାନ ପାଇଁ ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କଲେ ସିଆରପିଏଫ ଯବାନଙ୍କୁ ଛାଡି ଦିଆଯିବ ବୋଲି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସୂଚନା ଦେଇଛି ।
ଏଥିସହିତ ପଢ଼ନ୍ତୁ: ନକ୍ସଲ ଆକ୍ରମଣରେ ଓଡ଼ିଆ ପୁଅ ସହିଦ, ସାହାସୀ ଯବାନଙ୍କୁ ଝୁରୁଛନ୍ତି ସାଥି …
ଟିଟିପିଏସ୍ ବନ୍ଦ ପ୍ରତିବାଦରେ ଅନୁଗୁଳରେ ବିଜେଡିର ବନ୍ଦ ପାଳନ
ଅନୁଗୁଳ: ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ଚାଲୁନି ଗାଡି, ଖୋଲିନି ଦୋକାନ ବଜାର । ଟିଟିପିଏସ ବନ୍ଦ ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେଡି । ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ସରକାରୀ , ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ବନ୍ଦା କରିବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛି ଦଳ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ ଅଟେ । ପ୍ରଦୂଷଣର ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ବନ୍ଦ କରିଦେଲେ । ଯାହାଫଳରେ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ରୋଜଗାର ହରାଇଲେ । ଟିଟିପିଏସ ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ ତଥ୍ୟ ପ୍ରଦାନ କରା ଯାଉ ନାହିଁ କି କାମରେ ଅଗ୍ରଗତି ମଧ୍ୟ କରାଯାଉ ନାହିଁ । ଏଭଳି ତରବରିଆ ଭାବରେ ଟିଟିପିଏସ୍ ବନ୍ଦକୁ ତୀବ୍ର ବିରୋଧ କରିଛି ବିଜେଡି । ଟିଟିପିଏସର ଚାଲିବା ପାଇଁ ସମସ୍ତ ସୁବିଧା ଥିଲା, ହେଲେ ଏନଟିପିସି କର୍ତ୍ତୃପକ୍ଷ ପ୍ରଦୂଷଣ ମଞ୍ଜୁରୀ ବାହାନା କରି ଏହାକୁ ବନ୍ଦ କରି ଦେଇଛନ୍ତି । ଏଭଳିକି ପ୍ରଦୂଷଣ ମଞ୍ଜୁରୀ ପାଇଁ ଆବେଦନ ମଧ୍ୟ କରି ନାହାନ୍ତି । ବନ୍ଦ ପଛରେ ବଡ଼ ଧରଣର ଚକ୍ରାନ୍ତ ଥିବା ଗନ୍ଧ ବାରିଛି ବିଜେଡି । କେନ୍ଦ୍ର ସରକାର ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାର ଚକ୍ରାନ୍ତ କରୁଛନ୍ତି । ଏହାର ପ୍ରତିବାଦରେ ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି । ତେବେ ଜିଲ୍ଲାର ସମସ୍ତ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଠମଲ୍ଲିକରେ ଟାୟାର ଜାଳି ବନ୍ଦ ପାଳନ କରିଛନ୍ତି ଆନ୍ଦୋଳନକାରୀ ।



