spot_img
Home Blog Page 5818

ମକା ପୋଡ଼ୁ ପୋଡ଼ୁ ଘରେ ଲାଗିଗଲା ନିଆଁ; ଛଅ ଶିଶୁ ଜିବନ୍ତ ଦଗ୍ଧ

ପାଟଣା: ବିହାରର ଅରରିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଘରେ ନିଆଁ ଲାଗିଯିବାରୁ ୬ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ​ ପଲାସି ବ୍ଲକର ଚହଟପୁର ପଞ୍ଚାୟତର କଭୈୟା ଗ୍ରାମରେ ଏହି ଘଟଣା ଘଟିଛି। ଯାହାପରେ ସମଗ୍ର ଗାଁରେ ଶୋକର ଛାଇ ଖେଳେଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ ଚାଳ ଘର ଭିତରେ ଏହି ପିଲାମାନେ ମକା ପୋଡ଼ୁଥିଲେ, ଆଉ ଏହି ସମୟରେ ନିଆଁ ଛିଟକି ଚାଳରେ ପଡ଼ିବାରୁ ଘରେ ନିଆଁ ଲାଗିଯାଇଥିଲା।

ନିଆଁ ଲାଗିବା ମାତ୍ରେ ସେଠାରେ ଥିବା ଲୋକମାନେ ଚିତ୍କାର କରିଥିଲେ। ପରେ ଗ୍ରାମବାସୀ ମିଶି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ନିଆଁ ଏତେ ଭୟଙ୍କର ହୋଇଯାଇଥିଲା ଯେ  ପିଲାମାନେ ଜୀବନ୍ତଦଗ୍ଧ ହୋଇଯାଇଥିଲେ । ଆଉ ସେଇଠାରେ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ମୃତକଙ୍କ ମଧ୍ୟରେ ୨ ଜଣ ଝିଅ ଥିବାବେଳେ ୪ ଜଣ ପୁଅ ଥିଲେ। ଏବଂ ଏ ସମସ୍ତଙ୍କର ବୟସ ୫ ରୁ ୬ ବର୍ଷ ମଧ୍ୟରେ ଥିଲା।

ଏ ସମ୍ପର୍କରେ ସୂଚନା ପାଇବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଏସପି, ଏସଡିପିଓ  ଏବଂ ସଦର ଏସଡିଓ ପହଞ୍ଚି ପିଲାମାନଙ୍କର ଶବକୁ ପୋଷ୍ଟମଟର୍ମ ପାଇଁ ପଠାଇଥିଲେ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ।

ଝିଅ ବାହାଘର ପାଇଁ ସାଇତି ରଖିଥିଲେ ଟଙ୍କା, ସବୁ ଜଳିଗଲା…

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅନ୍ତର୍ଗତ ଯାଆଁଳା ଅଞ୍ଚଳରେ ଜଳିଗଲା ଘର । ଆଉ ଘରେ ଥିବା ସମସ୍ତ ଆସବାବପତ୍ର ସହ ଜଳିଗଲା ବିଡ଼ା ବିଡ଼ା ଟଙ୍କା । ଗତ ୨୮ ତାରିଖ ଭୋର ପ୍ରାୟ ୫ଟା ସମୟରେ ଲାଗିଥିଲା ନିଆଁ । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, କିଛି ବୁଝିବା ଆଗରୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।

ରାଜଧାନୀ ଭୁବନେଶ୍ୱରଉପକଣ୍ଠରେ ଥିବା ଯାଆଳାଁ ପଞ୍ଚାୟତ ଦକ୍ଷିଣ ମୁଣ୍ଡମୁହାଣ ଗ୍ରାମର ହରିଜନ ସାହିରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ଶରତ ଭୋଇଙ୍କ ୩ ବଖରା ଜଳି ପୋଡି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ସମସ୍ତ ଜରୁରୀ ସାମଗ୍ରୀ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ହେଲେ ସବୁଠାରୁ ବଡ଼ କଥା ହେଲା ଶରତ ଭୋଇ ନିଜ ଝିଅର ବିବାହ କରେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର କିଣି ରଖିଥିଲେ । ଯାହାକି ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ଆସବାବ ପତ୍ର ସାଙ୍ଗକୁ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ମଧ୍ୟ ଜଳିଯାଇଛି । କିଛି ଦିନ ପୂର୍ବରୁ ଝିଅ ବିବାହ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖିଥିଲେ । ସେଥିରେ ଏକାଧିକ ୫୦୦ ଟଙ୍କିଆ ବିଡ଼ା ରହଥିଲା । ଥାନାରେ ଶରତଙ୍କ ଭୋଇଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କର ପ୍ରାୟ ଦୁଇ ଲକ୍ଷ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି । ହେଲେ ପୋଲିସ ଓ ଅଗ୍ନିଶମ ବାହିନୀର କହିବାନୁଯାୟୀ ଦୁଇ ଲକ୍ଷ ଟଙ୍କା ନୁହେଁ ପ୍ରାୟ ୭୦ ହଜାର ଟଙ୍କା ଜଳିଯାଇଛି । ଆଉ ଜଳିଯାଇଥିବା ସବୁ ନୋଟ ୫୦୦ ଟଙ୍କିଆ ବୋଲି ଜଣାପଡ଼ିଛି ।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଏ ପାରେ ବୋଲି ଅନୁମାନ କରାଯାଉଛି । ଭୋର ସମୟରେ ହୋଇଥିବାରୁ ଘରର ସମସ୍ତ ଲୋକ ଉଠିପଡିଥିଲେ । ସୌଭାଗ୍ୟ ବସତଃ କେହି ମୃତାହତ ହୋଇନାହାନ୍ତି । ଶୁଖିଲା ଚାଳରେ ହଠାତ୍ ନିଆଁ ଲାଗିଯିବାରୁ ଘରୁ ଜିନିଷ କାଢ଼ିବା ସମ୍ଭବ ହୋଇନଥିଲା । କିନ୍ତୁ ସ୍ଥାନୀୟ ଲୋକ ନିଆଁ ବ୍ୟାପିବା ପୂର୍ବରୁ ପାଖ ଚାଳ ଓଲାରି ପକାଇ ଥିଲେ । ଫଳରେ ନିଆଁ ବ୍ୟାପି ପାରି ନଥିଲା। ଖବର ପାଇ ଜଟଣୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଶରତଙ୍କ ଘରର ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା ।

ବାବା ବେଶରେ ବୁଲୁଛନ୍ତି କ୍ରିମିନାଲ ! ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି, ଲୁଟ୍ କରୁଛନ୍ତି‌

ବଲାଙ୍ଗୀର: ବାବା ବେଶରେ ବୁଲୁଛନ୍ତି କ୍ରିମିନାଲ । ପୂଜା କରିବା ବାହାନାରେ ଦୋକାନରୁ କରୁଛନ୍ତି ଲୁଟ୍‌ । ଆଉ ସନ୍ଧ୍ୟା ହେଲେ ମଦ ପିଇ କରୁଛନ୍ତି ଉତ୍ପାତ । ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଗତ କିଛି ଦିନ ହେବ ଏଠାରେ ବାବା ବେଶରେ ଅନେକ ଅସାମାଜିକ ଲୋକ ବୁଲୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବରୁ ଜଣେ ବୁର୍ବୃତ୍ତ ବାବା ବେଶରେ ଆସି ତନ୍ତ୍ରମନ୍ତ୍ର ବୋଲି ବିଭୂତି ଆଦି ଲଗାଇ ଏକ ମୋବାଇଲ ଦୋକାନରୁ ନଗଦ ଦୁଇ ହଜାର ଟଙ୍କା ଓ ଗୋଟିଏ ଦାମି ମୋବାଇଲ ଲୁଟ୍‌ କରିଥିବା ଅଭିଯୋଗା ହୋଇଥିଲା । ସେହି ଘଟଣାର ମାତ୍ର ୫ଦିନ ପରେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା । ଏଭଳି ଅନେକ ଦୋକନକୁ ଯାଇ ଦୁର୍ବୃତ୍ତମାନେ ବାବା ବେଶରେ ଲୁଟ୍‌ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ତେବେ ସବୁଠୁ ବଡ଼ କଥା ହେଲା ଏହି ବାବା ବେଶ ଧାରୀ, ସନ୍ଧ୍ୟା ହେଲେ ମଦ ପିଇ ମାତାଲ ହୁଅନ୍ତି । ଆଉ ଗଣ୍ଡଗୋଳ କରୁଥିବା ମଧ୍ୟ ଦେଖାଯାଆନ୍ତି । ହେଲେ ଏମାନଙ୍କ ବିରୋଧରେ କେହି ଅଭିଯୋଗ କରିବାକୁ ନାରାଜ । କାହା ଭୟରେ ଲୋକମାନେ ଅଭିଯୋଗ କରନ୍ତି ନାହିଁ ସେନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଉଛି । ଏହି ଛଦ୍ମବେଶୀ ବାବା ମାନଙ୍କ ପଛରେ କେହି ବଡ଼ ଅପରାଧୀ ଥାଇପାରନ୍ତି ବୋଲି ଲୋକେ ସନ୍ଦେହ କରୁଛନ୍ତି ।

ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯେ, ବାବା ହାତରେ ମଦ ପାଉଚ୍‌‌ ଧରି ଜଣଙ୍କ ଘରେ ପଶିଥିଲେ । ଆଉ ସେଠାରେ ମଦ ପିଇଥିଲେ । ମଦ ପିଇ ଘର ଲୋକଙ୍କୁ ହଇରାଣ ହରକତ ମଧ୍ୟ କରିଥିଲେ । ସ୍ଥାନୀୟ ଲୋକମାନେ ହୋ-ହଲ୍ଲାଶୁଣି ସେଠାରେ ଜମା ହୋଇଥିଲେ । ପରେ ବାବାକୁ ଉତ୍ତମ ମଧ୍ୟ ଦେଇ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ପରେ ପୋଲିସର ଜିମା ଦେଇଥିଲେ । ହେଲେ ଥାନାରେ ଏନେଇ ଉକ୍ତ ପରିବାର ପକ୍ଷରୁ ଅଭିଯୋଗ କରାଗଲା ନାହିଁ । ତେଣୁ ପୋଲିସ ମଧ୍ୟ ତାକୁ କିଛି ସମୟ ରଖି ଛାଡ଼ିଦେଇଥିଲା । ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାବା ପାଖରେ କିଛି ମାରଣାସ୍ତ୍ର ଥିଲା ଯାହାକୁ ଜବତ କରାଯାଇଛି । ଏହି ଘଟଣାକୁ ସ୍ଥାନୀୟ ସଇଁତଲା ପୋଲିସ ହାଲୁକା ଭାବେ ଗ୍ରହଣ କରିଥିବା ବେଳେ କାହା ଭୟରେ ଗ୍ରାମବାସୀ ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ଘଟଣା ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା କନ୍ଧକେଲଗାଁ ପଞ୍ଚାୟତ ଅନ୍ତର୍ଗତ ଗୁର୍ଲାମାଲ୍ ଗାଁର । ଏହି ଗାଁର ବାବା ମଠରେ ଥିବା ବାବାଙ୍କ କଳା କାରନାମା ଓ ଦବଙ୍ଗଗିରିକୁ ନେଇ ଲୋକେ ଅତିଷ୍ଟ । ଏହି ମଠରେ ଅନେକ ଦିନ ଧରି ରହିଆସୁଥିବା ତୁଳସୀ ବାଦଲ ଦାସ ନାମକ ଏକ ଆତ୍ମ ଘୋଷିତ ବାବା ନିଜ ପାଖରେ ଟାଙ୍ଗୀଆ, ଛୁରୀ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଓ ପୂଜା ସାମଗ୍ରୀ ରଖୁଛନ୍ତି । ବାବାମଠରୁ ପୋଲିସ ସବୁ ମାରଣାସ୍ତ୍ର ଜବତ କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତ ଆତ୍ମଘୋଷିତ ବାବା ବାଦଲ ଦାସ ବରଗଡ଼ ଜିଲ୍ଲା ପଦମପୁର୍ ଅଞ୍ଚଳରୁ ଆସି ସଇଁତଳା ଥାନା ଗୁର୍ଲାମାଲରେ ଏକ ଆଶ୍ରମ କରି ରହୁଥିବା ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଘଟଣା ସଂପର୍କରେ ଗ୍ରାମବାସୀ ଥାନାରେ କୌଣସି ରିପୋର୍ଟ ଦାୟର୍ କରିବାକୁ ମନାକରିବାରୁ ପୋଲିସ ଘଟଣାର ଆପୋଷ ସମାଧାନ କରି ସଂପୃକ୍ତ ବାବାଙ୍କୁ ଛାଡି ଦେଇଥିବା ନେଇ ଟିଟିଲାଗଡ ଏସ୍‌ପିଓ ସୁରେନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି । ଏନେଇ ସଇଁତଳା ଥାନା ଅଧିକାରୀ ବାରିଣୀ ଦାସ କିଛି କହିବାକୁ ମନା କରିଦେଇଛନ୍ତି ।

ମୋଦିଙ୍କ ବିରୁଦ୍ଧରେ ଆଚାର ସଂହିତା ଉଲ୍ଲଙ୍ଘନ ଅଭିଯୋଗ: ଇସିଙ୍କ ନିକଟରେ ଫେରାଦ ହେଲା ଟିଏମସି

କୋଲକାତା: ଏପ୍ରିଲ ୧ରେ ପଶ୍ଚିମବଙ୍ଗରେ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଚାରର ଅନ୍ତିମ ଦିନ। ତେଣୁ ସମସ୍ତ ଦଳ ଆଜି ନିଜ ନିଜର ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଆଗରେ ଫେରଦା ହୋଇଛି ଟିଏମସି ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ବାଙ୍ଗଲାଦେଶ ଗସ୍ତରେ ଯାଇଥିଲେ। ତେବେ ଏହି ସମୟରେ ସେ ଓରକାଣ୍ଡିର ମତୁଆ ସମ୍ପ୍ରଦାୟର ମନ୍ଦିର ଦର୍ଶନ ମଧ୍ୟ କରିଥିଲେ। ତେବେ ଏହା ବିରୁଦ୍ଧରେ ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ଟିଏମସି କହିଛି ଯେ ପ୍ରଧାନମନ୍ତ୍ରୀ ଆଚାର ସଂହିତାର ଉଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛି ଟିଏମସି।

ଅନ୍ୟପଟେ ଶିବସେନା ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଶିବସେନା କହିଛି ଯେ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ନେପାଳର ଏକ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାଂଲାଦେଶର ଏକ ମନ୍ଦିରରେ ଦେଖିବାକୁ ମିଳିଛି, ଏହା କୌଣସି ସଂଯୋଗ ନୁହେଁ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗର ମତୁଆ ସମ୍ପ୍ରଦାୟର ଜନସଂଖ୍ୟା ପ୍ରାୟ ୨ କୋଟି । ଆଉ ଏମାନେ ପଶ୍ଚିମବଙ୍ଗ ନିର୍ବାଚନରେ ​​ଭୋଟ୍ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସପ୍ରଦାୟର ଅଧିକରୁ ଅଧିକ ଭୋଟ୍ ହାତେଇବା ପାଇଁ ବିଜେପି, ଟିଏମସି ଏବଂ ଅନ୍ୟାନ୍ୟ ଦଳ ସମସ୍ତ ପ୍ରକାରର ଚେଷ୍ଟା ଚଲାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍‌ ସର୍ଜରୀ ସଫଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍‌ ସର୍ଜରୀ ସଫଳ ହୋଇଛି । ସେ ଏବେ ସୁସ୍ଥ ଅଛନ୍ତି । ଦିଲ୍ଲୀ ଏମ୍‌ସ୍‌ରେ ତାଙ୍କର ସଫଳ ସର୍ଜରୀ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ କରି ସୂଚନା ଦେଇଛନ୍ତି । ଜଣେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଶୋୟୀ ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ କରିଥିଲେ । ଗତ ୨୬ ତାରିଖରେ ରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବାଇପାସ୍‌ ସର୍ଜରୀ ପାଇଁ ତାଙ୍କୁ ଏମ୍‌ସ ହସ୍ପିଷ୍ଟାଲ ସ୍ଥାନାନ୍ତର କରାଯାଇଥିଲା । ରୁଟିନ୍‌ ଚେକ୍‌ଅପ୍‌ ପରେ ରାମନାଥଙ୍କର ମଙ୍ଗଳବାର ସର୍ଜରୀ କରାଯାଇଥିଲା । ସର୍ଜରୀ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ରାଜନାଥ ସୂଚନା ଦେଇଛନ୍ତି ।

ତେବେ ଗତ ୨୭ ତାରିଖରେ ମେଡିକାଲରେ ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଥିଲା । ସେନାର ରିସର୍ଚ୍ଚ ଓ ରେଫରାଲ୍ ହସ୍ପିଟାଲ ଏନେଇ ଶନିବାର ଏନେଇ ସୂଚନା ଦେଇଥିଲେ ।

କ୍ୟାମ୍ପସ୍‌ରେ କରୋନାକୁ ନେଇ ଛାତ୍ର ଅଶାନ୍ତି, ଅଫ୍‌ଲାଇନ୍‌ ପରୀକ୍ଷା ବନ୍ଦ ଦାବିରେ ଆନ୍ଦୋଳନ

କଟକ: କରୋନା ସଂକ୍ରମଣକୁ ନେଇ ଛାତ୍ର ଅଶାନ୍ତି । କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲରେ କରୋନା ସଂକ୍ରମଣ ପରେ ଛାତ୍ର ଅଶାନ୍ତି ଦେଖାଯାଇଛି । ସ୍କୁଲର କିଛି ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ପରେ ସ୍କୁଲକୁ ସାନିଟାଇଜ୍ କରାଯାଇ ନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସ୍କୁଲର ଫାଟକ ସମ୍ମୁଖରେ ଟାୟାର ଜାଳି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍କୁଲର ଅଧ୍ୟକ୍ଷ ଜ୍ଞାନରଂଜନ ରାୟ କହିଛନ୍ତି ଲକ୍ଷଣ ଥିବା ୪୦୦ ପିଲାଙ୍କ ଟେଷ୍ଟିଂ ହୋଇଥିଲା । ଏଥିରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏସ୍‌ଓପି ଅନୁଯାୟୀ ସ୍କୁଲରେ ପରୀକ୍ଷା କରାଯିବ । ପରୀକ୍ଷା ଅନ୍‌ଲାଇନ୍‌ ହେବ କି ନାହିଁ ତାହା କାଉନସିଲ ନିଷ୍ପତ୍ତି ନେବେ ।

ସେହିଭଳି ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଛାତ୍ର ଉତ୍ତେଜନା ଦେଖାଯାଇଛି । ପରୀକ୍ଷା ଚାଲିଥିବା ବେଳେ ଚାରିଦିନ ତଳେ ସ୍କୁଲରୁ ୯ ଛାତ୍ରଛାତ୍ରୀ ଓ ୧୩ କର୍ମଚାରୀଙ୍କୁ ମିଶାଇ ୨୨ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏଥିରୁ ସ୍ପଷ୍ଟ ଯେ ସ୍କୁଲକୁ ଆସି ପିଲାମାନେ ପରୀକ୍ଷା ଦେବା ନିରାପଦ ନୁହେଁ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିରେ ହସ୍ତକ୍ଷେପ କରି ଅଫଲାଇନ୍ ପରୀକ୍ଷାକୁ ବାତିଲ କରାଯାଉ ବୋଲି ଦାବି କରି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ଶନିବାର ଇଞ୍ଜିନିୟରିଂ ସ୍କୁଲରୁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଦ୍ୱିତୀୟ ଓ ପଞ୍ଚମ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଅଫ୍‌ଲାଇନରେ କରାଯାଉଛି । ହେଲେ କରୋନା ଟେଷ୍ଟିଂ ରିପୋର୍ଟ ଆସି ନଥିବାରୁ ଭୟଭୀତ ହୋଇ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ବାତିଲ କରି ଅନଲାଇନରେ ପରୀକ୍ଷା ଓ ପାଠ ପଢାଇବା ପାଇଁ ଦାବି କରିଛନ୍ତି । ତେବେ ଏନେଇ ସ୍କୁଲ ଅଧ୍ୟକ୍ଷା କହିଛନ୍ତି ଯେ, କରୋନା ପଜିଟିଭ ନଥିଲେ ରିପୋର୍ଟ ଦିଆଯାଏନାହିଁ । ତେଣୁ ଆମକୁ ଅଯଥାରେ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସେହିଭଳି ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ ସ୍କୁଲ ସମ୍ମୁଖରେ ମଧ୍ୟ ଛାତ୍ରଛାତ୍ରୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧରଣାରେ ବସିଛନ୍ତି । ସେମାନେ ମଧ୍ୟ ଅଫ୍‌ଲାଇନ ପରୀକ୍ଷାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି । ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରୀ ଚାଲିଥିବା ବେଳେ ଅନ୍‌ଲାଇନ୍‌ରେ ପରୀକ୍ଷା କରାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ରାଉରକେଲା ଏନ୍‌ଆଇଟିରେ ମଧ୍ୟ କରୋନା ସଂକ୍ରମଣକୁ ନେଇ ଅସନ୍ତୋଷ ଦେଖାଯାଇଛି । ସଂକ୍ରମଣ ବଢ଼ୁଥିବାରୁ ଏନ୍‌ଆଇଟିରେ ଟେଷ୍ଟିଂ ସଂଖ୍ୟା ବଢ଼ାଯାଇଛି । ପଜିଟିଭ୍‌ ଚିହ୍ନଟେ ହେଲେ ତୁରନ୍ତ ପଦକ୍ଷେପ ନିଆଯାଉଛି । ଏହାସହ କରୋନା ନେଗେଟିଭ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଅନ ଲାଇନରେ ପରୀକ୍ଷା କରିବା ଦାବି କରି ରାଉରକେଲା ସହରର ଦୁଇଟି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ମଙ୍ଗଳବାର ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି ।

କରୋନା ପାଇଁ ବିରାଟ ଓ ରୋହିତଙ୍କ ମଧ୍ୟରେ ହେଲା ନୂଆ ବନ୍ଧୁତା

0

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଏବେ ଭାରତୀୟ କ୍ରିକେଟରମାନେ ବି କ୍ୱାରେଣ୍ଟିନରେ ଅଛନ୍ତି । ମାସ ମାସ ଧରି ଏହି କଡ଼ା ନିୟମ ଭିତରେ ରହିବା ଏତେ ସହଜ ନୁହେଁ। ତେବେ ଏହି କଡ଼ା କ୍ୱାରେଣ୍ଟାଇନ କଟକଣା ଭିତରେ ଯଦି କିଛି ଭଲ ହୋଇଛି ତେବେ ଏହା ହେଉଛି ଦୁଇ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ନୂଆ ବନ୍ଧୁତ୍ୱ ।

ବହୁ ଦିନ ହେଲାଣି କୋହଲି ଓ ରୋହିତଙ୍କ ସମ୍ପର୍କକୁ ନେଇ ନାନା ପ୍ରକାର ଖବର ସାମ୍ନାକୁ ଆସୁଛି । ଅନେ ଗଣମାଧ୍ୟରେ ଦୁହିଁଙ୍କ ଭିତରେ ଶତ୍ରୁତାଥିବା ମଧ୍ୟ କୁହାଯାଇଛି । ଏହି ଖବର କିନ୍ତୁ ତାଙ୍କ ଫ୍ୟାନ ମାନଙ୍କୁ ବିଚଳିତ କରିଦେଇଥିଲା । କ୍ରିକେଟ ମଇଦାନରେ ସବୁବେଳେ ପରସ୍ପର ମିଶି ବିପକ୍ଷକୁ ଧୂଳିଚଟାଉଥିବା ଏହି ଦୁଇ ଖେଳୀଳୀଙ୍କ ଭିତରେ ଶତ୍ରୁତା ଖବର ଶୁଣି ଫ୍ୟାନ ବହୁତ ନିରାଶ ହୋଇଥିଲେ। ହେଲେ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ଦୁହିଁଙ୍କ ଭିତରେ ପୁଣି ଥରେ ଆରମ୍ଭ ହୋଇଚି ବନ୍ଧୁତ୍ୱର ସମ୍ପର୍କ ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ ଭାରତ-ଇଂଲଣ୍ଡ ସିରିଜ ଚାଲିଥିବାବେଳେ ଟିମ୍ ର ଏହି ଦୁଇ ସିନିୟର କ୍ରିକେଟରଙ୍କ ସହ କୋଟ୍ ରବି ଶାସ୍ତ୍ରୀଙ୍କୁ ସମୟ ମିଳିଥିଲା । ଆଉ ସମୟ ଭିତରେ ସେମାନେ ଉଭୟଙ୍କ ମଧ୍ୟରେ ଥିବା ସମସ୍ୟା ସମ୍ପର୍କରେ କଥା ହୋଇଥିଲେ। ଯାହା ପରେ ସବୁ ସମସ୍ୟାର ସମାଧାନ ହୋଇଯାଇଛି। ଅନେକ ଦିନ ଧରି ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ସମ୍ପର୍କକୁ ନେଇ ଯେଉଁ କଳ୍ପନାଜଳ୍ପନା ଚାଲିଛି ସେଥିରେ ଏବେ ପୂର୍ଣ୍ଣଛେଦ ପଡ଼ିଛି। ବର୍ତ୍ତମାନ ଖବର ମିଳିଛି ଯେ ଦୁହେଁ ପୁଣିଥରେ ସମ୍ପର୍କ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆ-ଇଂଲଣ୍ଡ ଜସିରିଜ ଏହି ଦୁଇଜଣଙ୍କ ବ୍ୟକ୍ତିଗତ ସମ୍ପର୍କକୁ ମଜଭୁତ କରିଛି।

ଏମାନେ ବୁଢିଯାଇଛନ୍ତି ଯେ ଯଦି ସେମାନେ ଏକା ଚିନ୍ତାଧାରା ରଖିବେ ତେବେ ଏଥିରୁ ଦଳକୁ ଫାଇଦା ହେବ । ଯାହାକି ଗତ ୪ ମାସ ମଧ୍ୟରେ ସବୁଠୁ ବଡ଼ ସଫଳତା । ଏବେ ପଡ଼ିଆରେ ଏକାଠି ଇନିଂସ ଆରମ୍ଭ କରିବାଠୁ ନେଇ ପରସ୍ପରର ନିଷ୍ପତ୍ତିକୁ ସମ୍ମାନ ଦେବା ପର୍ଯ୍ୟନ୍ତ କୋହଲି ଏବଂ ଶର୍ମା ବର୍ତ୍ତମାନ ପରସ୍ପରର ମତକୁ ଭଲ ଭାବରେ ବୁଝୁଛନ୍ତି। ନିକଟରେ ଟି-୨୦ ସିରିଜ୍ ଶେଷ ହେବା ପରେ ପ୍ରେଜେଣ୍ଟେଶନ ସମୟରେ ଦୁହିଁଙ୍କୁ ପରସ୍ପର ସହ କଥା ହେଉଥିବା ଦେଖିବାକୁ ମିଳିଥିଲା।

ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ପ୍ରସଙ୍ଗ: ମନ୍ତ୍ରୀ କହିଲେ ‘କେନ୍ଦ୍ର ଟିକସ ନେଉଛି ତେଣୁ ଦର ବଢ଼ୁଛି’

ଭୁବନେଶ୍ୱର: ଆକାଶ ଛୁଆଁ ଦର ହେଲାଣି ଖାଇବା ତେଲ । ଏନେଇ ମଙ୍ଗଳବାର ବିଧାନସଭାରେ ହୋଇଛି ଆଲୋଚନା । ଖାଇବା ତେଲର ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅଧିକ ଟିକସ ଆଦାୟ ଯୋଗୁ ଖାଇବା ତେଲ ଦର ବୃଦ୍ଧି ପାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ସଂପର୍କିତ ଆଲୋଚନା ବେଳେ ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ମଧ୍ୟ ଖାଇବା ତେଲର ଦର ବୃଦ୍ଧି ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲା । ତେଲ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ତେଣୁ କେନ୍ଦ୍ର ସରକାର ତେଲ ଉପରୁ ଟ୍ୟାକ୍ସ କମାନ୍ତୁ ବୋଲି କଂଗ୍ରେସ ଦାବି କରିଛି । ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପାମୋଲିନ୍ ତେଲ ଉପରେ କେନ୍ଦ୍ର ସରକାର ୧୭ ଦଶମିକ ୫ ପ୍ରତିଶତ ଶୁଳ୍କ ନେଉଛନ୍ତି । ତେଣୁ ଦର ବୃଦ୍ଧି ପାଉଛି ।

ସେହିଭଳି ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ୨୦ପ୍ରତିଶତ ଶୁଳ୍କ ନେଉଛନ୍ତି କେନ୍ଦ୍ର ସରକାର । ଖାଇବା ତେଲ ଉପରେ କୃଷି ଉନ୍ନତୀକରଣ ଶୁଳ୍କ ଲାଗୁ କରିଛି କେନ୍ଦ୍ର । ଏହାଛଡ଼ା ଖାଇବା ତେଲ ଉପରେ କେନ୍ଦ୍ର ୨୧ପ୍ରତିଶତ ଆମଦାନୀ ଶୁଳ୍କ ନେଉଛି । ଖାଇବା ତେଲ ଉପରେ ୫ପ୍ରତିଶତ GST ଆଦାୟ କରୁଛନ୍ତି କେନ୍ଦ୍ର ସରକାର । ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ ୨ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଖାଇବା ତେଲକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବି କେନ୍ଦ୍ର ସରକାର ବାଦ ଦେଇଛନ୍ତି । ୩୦ ଖାଦ୍ୟ ନିରାପତ୍ତା ଅଧିକାରୀ ଖାଇବା ତେଲ ନମୁନା ସଂଗ୍ରହ କରୁଛନ୍ତି । ଏହାକୁ ରାଜ୍ୟ ଖାଦ୍ୟ ପ୍ରୟୋଗଶାଳାରେ ପରୀକ୍ଷା କରାଯାଉଛି । ବଜାରରେ ପ୍ରତିଫଳିତ ହୋଇ ଆମ ରାଜ୍ୟର ପ୍ରମୁଖ ବଜାରରେ ଖଲବା ତେଲର ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଚଳିତବର୍ଷ ଖାଇବା ତେଲର ଦର ବୃଦ୍ଧି ଏକ ସର୍ବଭାରତୀୟ ଘଟଣା ବୋଲି ମନ୍ତ୍ରୀ କହିଛନ୍ତି ।

୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା, ଏପ୍ରିଲ ୧ରୁ ଟିକାକରଣ

ଭୁବନେଶ୍ୱର: ରାଜାଧାନୀରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା । ବିଭିନ୍ନ  ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଏମ୍‌ସି । କରୋନା ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଉଛି । ଏପ୍ରିଲ ୧ରୁ ବୃହତ୍ତ ଟିକାକରଣ କରାଯିବ । ରାଜ୍ୟ ସରକାରଙ୍କ ତରଫରୁ ଦୈନିକ ୬ ହଜାର ଟେଷ୍ଟିଂ ଭୁବନେଶ୍ୱରରେ କରିବା ପାଇଁ   ଟାର୍ଗେଟ ଦିଆଯାଇଛି। ବର୍ତ୍ତମାନ ଆମର ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଛି। ଷ୍ଟ୍ରିଟ୍ ଭେଣ୍ଡର, ମଲର କର୍ମଚାରୀ , ରେଷ୍ଟୁରାଣ୍ଟର କର୍ମଚାରୀ, ୪୫ରୁ ଅଧିକ ବୟସର ଶିକ୍ଷକ ଏବଂ  ଶିକ୍ଷୟତ୍ରୀ ଓ ସେସୁ କର୍ମଚାରୀଙ୍କୁ ନେଇ ଆମେ ପାଖାପାଖି ୨୦ହଜାରରୁ ଅଧିକ ଲୋକଙ୍କ ଏକ ଲିଷ୍ଟ କରିଛୁ। ଆମର ଲକ୍ଷ୍ୟ ବର୍ତ୍ତମାନ ୧ ରୁ ୨ମାସ ଭିତରେ ସମସ୍ତଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବା ।

ବାଲାଜୀ ଆପାର୍ଟମେଣ୍ଟରୁ ପ୍ରଥମ ପର୍ଯ୍ୟାୟରେ ୩ଜଣ କରୋନା ଆକ୍ରନ୍ତ ଚିହ୍ନଟ ପରେ ଅନ୍ୟମାନଙ୍କ ଟେଷ୍ଟିଂ କରାଯାଉଛି । ଅଧିକ ଥିବା ଅନୁମାନ କରାଯାଉଛି ହେଲେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହିଭଳି ଓଡିଏମ ପବ୍ଲିକ ସ୍କୁଲରେ ମଧ୍ୟ ଅନୁରୂପ ଭାବେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଠାରେ ଗୋଟିଏ ଟେଷ୍ଟିଂ ଡେକ୍ସ କରାଯାଇ ଟେଷ୍ଟିଂ ଆରମ୍ଭ ହୋଇଛି।   ସେହିଭଳି ଓଡିଏମ ସ୍ବକୁଲରୁ ମଧ୍ୟ ୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଭୁବନେଶ୍ୱରର ୨ ରୁ ୩ ଜାଗାକୁ ସିଲ୍ କରିଛୁ। କଣ୍ଟେନମେଣ୍ଟ ଜୋନ୍ ଭଳି ସବୁ ବ୍ୟବସ୍ଥା ସହ ଏସବୁ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଇଛି। ରେଡ଼ ଫ୍ଲାଗ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଛି । ଯାହାର ନାହିଁ ସେମାନଙ୍କର ଟେଷ୍ଟିଂ କରି ସଙ୍ଗରୋଧରେ ରହିବାକୁ କୁହାଯାଉଛି। ହେଲେ ଏଦିଗରେ ରେଳଷ୍ଟେସନରେ କିଛିଟା ସମସ୍ୟା ଥିବା ସ୍ୱୀକାର କରିଛନ୍ତି ବିଏମସି କମିଶନର।

ସାପ ଭଳି ମଣିଷ ଶରୀରରେ ଅଛି ବିଷ

ନୂଆଦିଲ୍ଲୀ:   ମଣିଷ ଶରୀରରେ ବିଷ! ତାହା ମଧ୍ୟ ସାପ ଭଳି । କେତେ ଅଜବ ଲାଗୁଛି ନା ଏହି କଥା? କିନ୍ତୁ ଏହା ସତ । ମଣିଷ ଶରୀରରେ ରହିଛି ବିଷ ସୃଷ୍ଟି କରୁଥିବା ଟୁଲକିଟ୍‌। ଯାହାର ଖୁଲାସା କରିଛନ୍ତି ଜାପାନର ବୈଜ୍ଞାନିକ । ବୈଜ୍ଞାନିକଙ୍କ ଅନୁସାରେ କେବଳ ମଣିଷ ନୁହଁନ୍ତି ବରଂ ଅନ୍ୟ କେତେକ ସ୍ତନ୍ୟପାୟୀ ଜୀବଙ୍କ ନିକଟରେ ମଧ୍ୟ ବିଷ ସୃଷ୍ଟି କରିପାରିବାର କ୍ଷମତା ରହିଛି । ଖାଲି ସେତିକି ନୁହେଁ ଆଶ୍ଚର୍ଯ୍ୟର କଥା ହେଉଛି ଜାପାନର ବୈଜ୍ଞାନିକ ମଣିଷକୁ ସବୁଠାରୁ ବିଷାକ୍ତ ସାପ ର୍ୟାଟଲ ସ୍ନେକ୍‌ଏବଂ ସବୁଠାରୁ ବିଷାକ୍ତ ସ୍ତନ୍ୟପାୟୀ ଡକାବିଲ ଏବଂ ପ୍ଲାଟିପସ ସହିତ ତୁଳନା କରିଛନ୍ତି । ଏହା ମଣିଷର ପ୍ଲେକ୍ସିବଲ ଜିନ୍ ହେତୁ ହୋଇଥାଏ ବୋଲି କହିଛନ୍ତି ବୈଜ୍ଞାନିକ । ଏହି ଜିନ୍‌ଲାଳଗ୍ରନ୍ଥିକୁ ବିଷାକ୍ତ ଏବଂ ଅଣବିଷାକ୍ତ ଜୀବ ଅନୁସାରେ ବିକଶିତ କରିଥାଏ ।

ଜାପାନର ଓକିନାବା ଇଂଷ୍ଟିଚ୍ୟୁଟ୍‌ଅଫ୍‌ସାଇନ୍ସ ଆଣ୍ଡ୍‌ଟେକ୍ନୋଲୋଜିରେ ଏହି ଗେବଷଣାର କୋ-ରାଇଟର ଏବଂ ରିସର୍ଚର ଅଗ୍ନିଶ ବରୁଆଙ୍କ କହିବା ହେଉଛି ଆନିମଲ କିଙ୍ଗଡମରେ ଜିନ୍‌ର ପ୍ରଭାବ ହେତୁ ଲାଳଗ୍ରନ୍ଥି ୧୦୦ରୁ ଅଧିକ ଥର ବିକଶିତ ହୋଇଥାଏ ଏବଂ ଆବଶ୍ୟକ ସମୟରେ ଏଥିରେ ପରିବର୍ତ୍ତନ ଆସିଥାଏ । ବୈଜ୍ଞାନିକଙ୍କ ଅନୁସାରେ ମଣିଷ ମଧ୍ୟ ସେହି ସ୍ତରର ବିଷ ସୃଷ୍ଟି କରିପାରିବ । ବୁଢିଆଣୀ,ସାପ ଏବଂ ଗେଣ୍ଡା ଆଦିରେ ଆବଶ୍ୟକ ଅନୁସାରେ ବିଷ ସୃଷ୍ଟି ହୋଇଥାଏ ।

ଗୋଟିଏ ପଟେ ଲାଳଗ୍ରନ୍ଥିରେ ବିଷ ବିକଶିତ ବା ପରିବର୍ତ୍ତନ ହେଉଥିବା ବେଳେ ମାଙ୍କଡ଼ ଭଳି ଜୀବ ମୁହଁରେ ବିଷଗ୍ରନ୍ଥି ଅଛି ଏବଂ ଏହି ବିଷ ଲାଳଗ୍ରନ୍ଥିର ବିକାଶ ପ୍ରକ୍ରିୟାର ଫଳାଫଳ ବୋଲି କହିଛନ୍ତି ଅଗ୍ନିଶ୍‌। କିନ୍ତୁ ଏହା ପଛରେ ମଲିକ୍ୟୁଲର ମେକାନିକ୍ସ କାମ କରେ ବୋଲି ବୈଜ୍ଞାନିକ ଖୁଲାସା କରିଛନ୍ତି । ତେବେ ବିଷାକ୍ତତା କୌଣସି ଜୀବ ଶରୀରରେ ମଧ୍ୟ ବିକଶିତ ହୋଇପାରେ । ଯାହା କେତେକ ଜଟିଳ ରାସାୟନିକ ପଦାର୍ଥର ସମ୍ମିଶ୍ରଣ । କିନ୍ତୁ ଏହି ଗବେଷଣାର ଅନ୍ୟ ଜଣେ ରିସର୍ଚର ଆଲେକଜାଣ୍ଡର ମିଖେୟବଙ୍କ ଅନୁସାରେ ମଣିଷ ସମେତ କେତେକ ଜୀବଙ୍କ ମଧ୍ୟରେ ଏକ ହାଉସକିପିଂ ଜିନ୍ ଥାଏ । ଏହା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ତ କରେ କିନ୍ତୁ ତାହାକୁ ବିଷ ହେବାକୁ ଦିଏନାହିଁ ।

ମଣିଷ ଶରୀରରେ ସାପ ଭଳି ବିଷ ତିଆରି କରିବାର କ୍ଷମତା ଥିବା ଜାଣିବା ପାଇଁ ବୈଜ୍ଞାନିକ ତାଇବାନ ହାବୁ ନାମକ ସାପକୁ ଗବେଷଣାରେ ସାମିଲ କରିଥିଲେ । ଗବେଷଣା ପରେ ବିଷ ସୃଷ୍ଟି କରୁଥିବା ଏକାଧିକ ଜିନ୍ସ ବିଷୟରେ ଜାଣିବାକୁ ପାଇଲେ ବୈଜ୍ଞାନିକ । ଏହା ସହିତ ବିଶ୍ୱର ପ୍ରାୟ ଏକାଧିକ ଜୀବଙ୍କ ଲାଳରେ କେଲିକ୍ରେନ୍ସ ଥାଏ, ଯାହା ମଣିଷ ଶରୀରରେ ଯଦିଓ ପରିବର୍ତ୍ତନ ହୋଇନଥାଏ, ତଥାପି ସାପଭଳି ଜୀବଙ୍କ ଶରୀରରେ ଏହାର ପରିବର୍ତ୍ତନ ହୋଇଥାଏ । ଯାହା ଖୁବ୍‌କଷ୍ଟଦାୟକ ଏବଂ ସାଂଘାତିକ ବିଷ ସୃଷ୍ଟି କରିବାର ସିଷ୍ଟମକୁ ବିକଶିତ କରିଥାଏ । କିନ୍ତୁ ଏହା ବିଶ୍ୱର ପ୍ରାୟ ଜୀବଙ୍କ ନିକଟରେ ଥାଏ । ଯାହା ଏକ ଖାସ୍‌ସକ୍ରିୟ ଏନଜାଇମ । ଏହା ଏଭଳି ଏକ ପ୍ରୋଟିନ ଯାହା ସାପ ଭଳି ମଣିଷ ଶରୀରରେ ବିଷ ସୃଷ୍ଟି କରିପାରେ ।