ଭୁବନେଶ୍ୱର: ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ । ୧୯୪ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ରାଜଧାନୀରେ ୧୬୪୩ଟି ଆପାର୍ଟମେଣ୍ଟ ନକ୍ସା ଅନୁମୋଦନ ମିଳିଛି । ସହର ଓ ଆଖପାଖ ଅଞ୍ଚଳରେ ବେଆଇନ ନିର୍ମାଣ ହୋଇଛି । ଏନେଇ ହୋଇଥିବା ୫୭ଟି ମାମଲାର ସମାଧାନ ହୋଇଛି । ୯୧ଟି ବେଆଇନ ନିର୍ମାଣ ମାମଲାର ବିଚାର ଚାଲିଛି । ଅନ୍ୟଗୁଡ଼ିକ ସମ୍ପର୍କରେ ଏ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।
ରାଜ୍ୟରେ ଆଉ ୨୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଆଉ ୨୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ । ୧୨୯ ଚିହ୍ନଟ ସଂକ୍ରମିତ ପୂର୍ବରୁ କ୍ୱାରେଣ୍ଟାଇନ୍ରେ ରହୁଥିବା ବେଳେ ଅନ୍ୟ ୮୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୨, ବାଲେଶ୍ୱର ୬, ବରଗଡ଼ ୩୪, ଭଦ୍ରକରୁ ଜଣେ, ବଲାଙ୍ଗୀର ୯, କଟକ ୧୬, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁର ୩, ଯାଜପୁର ୪, ଝାରସୁଗୁନାରୁ ଜଣେ, କଳାହାଣ୍ଡି ୧୩,କନ୍ଧମାଳରୁ ଜଣେ, କେନ୍ଦୁଝରରୁ ୨ଜଣ, ଖୋର୍ଦ୍ଧାରୁ ୨୫, ମୟୂରଭଞ୍ଜରୁ ୫, ନବରଙ୍ଗପୁର ୬, ନୂଆପଡ଼ା ୨୯, ପୁରୀ ୨, ରାୟଗନା ୩, ସମ୍ୱଲପୁରରୁ ଜଣେ, ସୋନପୁରରୁ ଜଣେ, ସୁନ୍ଦରଗଡ଼ ୨୬ ଏବଂ ଷ୍ଟେଟ୍ ପୁଲ୍ରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ୧୮୩୭ କରୋନା ସଂକ୍ରମିତ ଅଛନ୍ତି । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 29th March
New Positive Cases: 218
In quarantine: 129
Local contacts: 89(Details of local contacts will be shared by concerned District Administration)
District Wise Cases:
1. Angul: 12
2. Balasore: 6
3. Bargarh: 34
4. Bhadrak: 1
5. Balangir: 9— I & PR Department, Odisha (@IPR_Odisha) March 30, 2021
ଅହମ୍ମଦାବାଦ IIMରେ ୭୦ କରୋନା ପଜିଟିଭ ଚିହ୍ନଟ
ଅହମ୍ମଦାବାଦ: ଉଗ୍ର ହୋଇଛି କୋଭିଡ-୧୯ ଭାଇରସ। ମହାରାଷ୍ଟ୍ର ପରେ ଏବେ ଗୁଜୁରାଟରେ କରୋନା ମାମଲା ବୃଦ୍ଧି ପାଉଛି। ବର୍ତ୍ତମାନ ଅହମ୍ମଦାବାଦରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ରେ ୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେହିପରି ପଟିଆଲାର ନାଭା ଓପନ୍ ଜେଲରେ ୪୦ଜଣ ମହିଳା କଏଦି କରୋନା ପଜିଟିଭ୍ ଥିବା ଜଣାପଡିଛି। ଏବେ ସୁଦ୍ଧା ମୋଟ ୪୭ କଏଦୀଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ସ୍ୱାସ୍ଥ୍ୟ ବିଭାଗ ମୁତାବକ ମହିଳା ୱାର୍ଡରୁ ନିୟମିତ ଭାବେ ନମୁନା ସଂଗ୍ରହ କରାଯାଉଛି, ଏବଂ ପଜିଟିଭ୍ ଚିହ୍ନଟ ହେଉଥିବା ଅନ୍ତେବାସୀଙ୍କୁ ରାଜ୍ୟର ସ୍ୱତନ୍ତ୍ର କୋଭିଡ-୧୯ ଜେଲକୁ ସ୍ଥାନାନ୍ତର କରାଯାଉଛି।
ଏନ୍ୟପଟେ ଦେଶରେ ବେକାବୁ ହେଲାଣି କରୋନା । ଗତ କିଛି ଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି। ଆଜି ବି୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୬ ହଜାର ୨୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୩୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୨୭୧ ଜଣଙ୍କର ଜୀବନ ନେଇଛି ଏହି ଭାଇରସ। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ଜଣ ସଂକ୍ରମିତ ହେଲେଣି। ସେହିପରି ଏପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ସୁସ୍ଥ ହେଲେଣି।
ବିଧାନସଭାରେ ଉଠିଲା ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଂଗ: ଜାଣନ୍ତୁ କ’ଣ ଉତ୍ତର ରଖିଲେ ମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭାରେ ଉଠିଲା ଟ୍ବିନ୍ ସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ । ଭୁବନେଶ୍ୱର-କଟକ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଏବେ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ । ଭୁବନେଶ୍ୱର କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ କରାଯାଇ ଟେଣ୍ଡର ହୋଇଥିଲା । ଏଥିରେ 5ଟି କମ୍ପାନୀ ଭାଗ ନେଇଥିଲେ । ଵାଲାଜୀ ରେଲ ଆଣ୍ଡ ରୋଡ୍ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା । ଖୋର୍ଦ୍ଧା ଓ ଜଟଣୀ ପର୍ଯ୍ୟନ୍ତ ମେଟ୍ରୋ ଚଳାଇବା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ । ପୁଣି ଥରେ ସର୍ଭେ କରିବା ପାଇଁ ଆମେ ଦାବି କରିବୁ । କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦିଆଯିବ । 2041 ପର୍ଯ୍ୟନ୍ତ ଟୁଇନ ସିଟିରେ ମେଟ୍ରୋ ଟ୍ରେନ ଗଡ଼ିବା ଅସମ୍ଭବ । ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ଯାଇପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଦେଇଥିବା ବେଳେ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ସେପଟେ ବିଧାନସଭାରେ ଅନ୍ୟ ସଦସ୍ୟମାନେ ପୁଣି ଏହି ସର୍ଭେ କରିବା ପାଇଁ ଦାବି ରଖିଛନ୍ତି ।
ଏଥିସହିତ ପଢ଼ନ୍ତୁ: ଖାଇବାକୁ ଗଲା ମୂଷା, ଫସିଗଲା ନାଗ
ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ନନ୍ଦିଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ମମତା, ଘନ ଘନ ରୋଡ୍ ଶୋ’
କୋଲକାତା: ଆଜି ହେଉଛି ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପାଇଁ ଶେଷ ଦିନ। ଏଥିପାଇଁ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର। ଆଜି ପ୍ରଚାରରେ ପ୍ରତିଶୃତିର ବର୍ଷା କରି ଭୋଟରକୁ ହାତେଇବା ପାଇଁ ଚେଷ୍ଟା କରିବେ ଉଭୟ ଦଳ। ଆସନ୍ତା ଏପ୍ରିଲ ୧ରେ ପଶ୍ଚିମବଙ୍ଗରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ।
ଅନ୍ୟପଟେ ୩୦ଟି ଆସନ ମଧ୍ୟରୁ ଭିଭିଆଇପି ସିଟ୍ ନନ୍ଦିଗ୍ରାମ୍ ପାଇଁ ବି ଏଥର ହେବ ମତଦାନ। ଏଥିପାଇଁ ଟିକିଏ ବି ସମୟ ନଷ୍ଟ ନକରି ଘନ ଘନ ରୋଡ ଶୋ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ ମମତାଙ୍କର ହେବ ମୁହାଁମୁହିଁ ଟକ୍କର। ଗତକାଲି ହଜାର ହଜାର ସମର୍ଥକଙ୍କ ମଧ୍ୟରେ ଦିଦି ରଣହୁଙ୍କାର ଦେଇଥିଲେ। ବିଜେପିକୁ ଟାର୍ଗେଟ କରିବା ସହ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ଶୁଭେନ୍ଦୁଙ୍କର ଗୋଟିଏ ଗୋଟିଏ ଦୁର୍ନୀତିର ଗଣି ଗଣି ହିସାବ ବି ଦେଇଥିଲେ।
ସେପଟେ ବିଜେପି ମଧ୍ୟ ନନ୍ଦିଗ୍ରାମରେ ଜୋରଦାର ପ୍ରଚାର ଚଲାଇଛି। ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ବଢୁଥିବା ହିଂସାକୁ ପ୍ରସଙ୍ଗ କରି ଲୋକଙ୍କ ମତ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଶୁଭେନ୍ଦୁଓ ମମତା କାହା ଉପରେ କିଏ ଭାରି ପଡ଼ୁଛି ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ।
ଥମୁନି କରୋନା କହର: ୨୪ ଘଣ୍ଟାରେ ୫୬ ହଜାର ଟପିଲା ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା କହର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୫୬ ହଜାର ୨୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୩୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୨୭୧ ଜଣଙ୍କର ଜୀବନ ନେଇଛି ଏହି ଭାଇରସ ।
ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ଜଣ ସଂକ୍ରମିତ ହେଲେଣି। ସେହିପରି ଏପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ସୁସ୍ଥ ହେଲେଣି ।
ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି କରୋନା । ସ୍ଥିତି ଉଦ୍ବେଗଜନକ ହୋଇଥିବାରୁ କରୋନାକୁ ନେଇ ମହାରାଷ୍ଟ୍ରରେ ସ୍ଥିତି ବିଗୁଡୁଥିବା ବେଳେ, ରାଜ୍ୟରେ ଲକଡାଉନ୍ ଲାଗୁ କରିବାକୁ ସଙ୍କେତ ଦେଇଛନ୍ତି ଉଦ୍ଧବ ଠାକରେ । ଯାହାକୁ ବିରୋଧ କରିଛନ୍ତି ଏନସିପି ଓ ବିଜେପି । ପୂର୍ବରୁ ୨୮ ତାରିଖ ରାତିରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି କର୍ଫ୍ୟୁ । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି।
ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜକୁ ସାନିଟାଇଜ୍ କରାଯାଇ ନଥିବାରୁ ଛାତ୍ର ଅଶାନ୍ତି
କଟକ: ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲରେ ଛାତ୍ର ଅଶାନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ ପରୀକ୍ଷା ଏବଂ ସମସ୍ତଙ୍କ ଟେଷ୍ଟିଂ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ମୁଖ୍ୟ ଫାଟକରେ ଟାୟାର ଜାଳି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଅଫ୍ଲାଇନ୍ ପରୀକ୍ଷା ହେଲେ ସଂକ୍ରମଣ ବଢିବ ବୋଲି ଯୁକ୍ତି ବାଢ଼ିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପକ୍ଷରେ ଅଧ୍ୟକ୍ଷ କହିଛନ୍ତି ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ କାଉନସିଲକୁ ଜଣାଇଛନ୍ତି । ସ୍କୁଲରେ ତିନି ଜଣ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ ଆସନ୍ତାକାଲି ଠାରୁ ହେବାକୁ ଥିବା ପରୀକ୍ଷାକୁ ଅଫ୍ଲାଇନ୍ ପରିବର୍ତ୍ତେ ଅନଲାଇନରେ କରିବାକୁ ଦାବି ହୋଇଛି । ଏଥିସହିତ ପୂରା ପରିସରକୁ ସାନିଟାଇଜ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ ପାଇଁ ମଧ୍ୟ ଦାବି ।
ଅନ୍ୟପକ୍ଷରେ ସ୍କୁଲର ଅଧ୍ୟକ୍ଷ କହିଛନ୍ତି ଯେ, ସ୍କୁଲର ୪ଶହ ପିଲାଙ୍କ ଟେଷ୍ଟ କରାଯାଇଥିଲା । ତିନି ଜଣ ପଜିଟିଭ ବାହାରିଥିଲେ। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ହଷ୍ଟେଲରେ ସାନିଟାଇଜ କରାଯାଇଛି । ବାକି ପିଲାଙ୍କ ଟେଷ୍ଟ ପାଇଁ ଅନୁରୋଧ କରାଯାଇଛି । କୋଭିଡ୍ ଏସଓପି ଅନୁଯାୟୀ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ପରିବର୍ତ୍ତେ ଅନଲାଇନ ପରୀକ୍ଷା ପାଇଁ ଯେଉଁ ଦାବି କରୁଛନ୍ତି ସେ ସମ୍ପର୍କରେ କାଉନସିଲକୁ ଜଣାଇ ଦିଆଯାଇଛି ବୋଲି ଅଧ୍ୟକ୍ଷ କହିଛନ୍ତି । ବୋଷ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବର୍ଷର ପରୀକ୍ଷା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଚାଲିବ।
ଏଥିସହିତ ପଢ଼ନ୍ତୁ: ଖାଇବାକୁ ଗଲା ମୂଷା, ଫସିଗଲା ନାଗ
ନାମାଙ୍କନ ପାଇଁ ଶୋଭାଯାତ୍ରାରେ ବାହାରିଲେ ରୁଦ୍ର
ପିପିଲି ବିଧାନସଭା ଆସନ ନେଇ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଏ ନେଇ ଆଜି ସକାଳୁ ପିପିଲି ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ସାମିଲ । କରୋନା କଟକଣା ମାନି ଶୋଭାଯାତ୍ରାରେ ବାହାରିଛନ୍ତି ରୁଦ୍ର ମହାରଥୀ । ଅପରପକ୍ଷରେ ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍ ଏବଂ ଏନ୍ଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବ ସାମ୍ମୁଖ୍ୟକୁ ଏଥର ଦିଆଯାଇଛି ଅଧିକ ଗୁରୁତ୍ବ ।
ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର ।

